ବୁଡ଼େଇଲା, ଭସେଇଲା ବର୍ଷା

ଭୁବନେଶ୍ୱର, ୨୨।୯ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସୋମବାର ପ୍ରବଳ ବର୍ଷା ହୋଇଥିଲା। ସନ୍ଧ୍ୟାସୁଦ୍ଧା ୮୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିବାବେଳେ କେତେବେଳେ ଝିପି ଝିପି ତ ଆଉ କେତେବେଳେ ମୁଷଳ ଧାରାରେ ବର୍ଷିଥିଲା। ବିଭିନ୍ନ ସ୍ଥାନରେ ଡ୍ରେନ୍‌ ନିର୍ମାଣ ଓ ମରାମତି କାମ ଚାଲିଥିବାରୁ ବର୍ଷା ଜଳ ନିଷ୍କାସିତ ହୋଇ ନ ପାରି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଥିଲା। ମାଷ୍ଟର କ୍ୟାଣ୍ଟିନ୍‌ରୁ ରାଜମହଲ ରାସ୍ତା, ଏନ୍‌ଏଚ୍‌ ୫ର ଇସ୍କନ ସମ୍ମୁଖ, ବମିଖାଲ ଓଭରବ୍ରିଜ୍‌ ପାର୍ଶ୍ୱ ରାସ୍ତାରେ ୨ରୁ ୩ ଫୁଟ ଉଚ୍ଚର ପାଣି ଘଣ୍ଟା ଘଣ୍ଟା ଧରି ଲହଡ଼ି ମାରିଥିଲା। କାର ଭାସିବା ସହ ଅନେକ ଗାଡ଼ିରେ ପାଣି ପଶିଯାଇଥିଲା। ରସୁଲଗଡ଼, ଲକ୍ଷ୍ମୀସାଗର, ଜିଜିପି କଲୋନୀ, ଜଗନ୍ନାଥ ନଗର, ପୁରୁଣା ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ବିହାର, ଡେଲ୍‌ଟା, ୟୁନିଟ୍‌ ୮, ନୟାପଲ୍ଲୀ ଅଞ୍ଚଳର ଲୋକଙ୍କ ଘରେ ଆର୍ବଜନା ସହ ନର୍ଦ୍ଦମା ଓ ବର୍ଷା ପାଣି ପଶିଥିବା ଦେଖିବାକୁ ମିଳିଥିଲା। ଦିନ ତମାମ ସହରବାସୀ କଲବଲ ହୋଇଥିଲେ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଡ୍ରେନେଜ୍‌ ବିଭାଗର ଅପାରଗତା ଓ ଖାମଖିଆଲି ପାଇଁ ଏ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା।
ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ସତର୍କ କରାଇ ଆସୁଛି। ହେଲେ ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ବାଟ ବନ୍ଦ ରହିଥିବାରୁ ଏହାର ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିଲା। ବିଶେଷକରି ସମ୍ବେଦନଶୀଳ ସ୍ଥାନରେ ପମ୍ପ୍‌ ସେଣ୍ଟର ବ୍ୟବସ୍ଥା ହୋଇ ନ ଥିଲା। ଲୋକେ ସମସ୍ୟା ଭୋଗିବା ପରେ ଚେତା ପଶିଥିଲା। ବିଏମ୍‌ସି ଡ୍ରେନେଜ୍‌ ବିଭାଗର ଜନୈକ ଅଧିକାରୀ କହିଛନ୍ତି, ସହରରେ ୧୦୦ରୁ ଊର୍ଦ୍ଧ୍ୱ ନୂଆ ଡ୍ରେନ୍‌ ନିର୍ମାଣ ପାଇଁ ଟେଣ୍ଡର ହୋଇଛି। ହେଲେ କରୋନା ପାଇଁ ଗତ ୫ ମାସ ଠିକ୍‌ ଢ଼ଙ୍ଗରେ କାମ ହୋଇପାରିନାହିଁ। ହଠାତ୍‌ ଜୋର୍‌ରେ ବର୍ଷା ହେବାରୁ ଜଳ ନିଷ୍କାସିତ ହୋଇ ନ ପାରି ଏପରି ସ୍ଥିତି ଦେଖାଦେଇଥିବା ସେ ସ୍ବୀକାର କରିଛନ୍ତି।

Share