ପଦ୍ମପୁର,୨୮।୧୧(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ଭୋଟ୍ ଗ୍ରହଣକୁ ଆଉ ମାତ୍ର ସପ୍ତାହେ ବାକି ଥିବାବେଳେ ସୋମବାର ଆୟକର ବିଭାଗ(ଆଇଟି)ର କେନ୍ଦ୍ରୀୟ ଟିମ୍ ଏବଂ ଜିଏସ୍ଟି ବିଭାଗ ପକ୍ଷରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଉପନିର୍ବାଚନ ପୂର୍ବରୁ ଉଭୟ ଆଇଟି, ଜିଏସ୍ଟି ବିଭାଗର ଏଭଳି ଚଢ଼ାଉକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏହାର ପ୍ରତିବାଦରେ ମଙ୍ଗଳବାର ପଦ୍ମପୁରରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସ୍ଥାନୀୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ବଣିକ ସଂଘ ନିଷ୍ପତ୍ତି ନେଇଥିବା ସଂଘ ସଭାପତି ପ୍ରତାପ ମିଶ୍ର କହିଛନ୍ତି। ଅନ୍ୟପଟେ ଗାଡ଼ି ଚଳାଚଳ, ସ୍କୁଲ, କଲେଜ, ଡାକ୍ତରଖାନା ସରକାରୀ, ବେସରକାରୀ ଅଫିସ ଖୋଲା ରହିବ। କେବଳ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ ବୋଲି ଜଣାପଡିଛି। ଉଲ୍ଳେଖନୀୟ, ସୋମବାର ଆଇଟିର କେନ୍ଦ୍ରୀୟ ଟିମ୍ ପଦ୍ମପୁରର ୪ ବିଜେଡ଼ି କର୍ମୀଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲା। ସେହିପରି ଅପରାହ୍ନରେ ଜିଏସ୍ଟି ପକ୍ଷରୁ ଅଞ୍ଚଳର କିଛି ବ୍ୟବସାୟୀଙ୍କ ଦୋକାନରେ ଚଢ଼ାଉ ହୋଇଥିଲା ଏବଂ ସମ୍ପୃକ୍ତ ବ୍ୟବସାୟୀଙ୍କ ମଧ୍ୟରେ ଭାଜପା କର୍ମୀ ରହିଥିବା ସାଧାରଣରେ ଆଲୋଚନା ହେଉଛି ।