Categories: ଜାତୀୟ

ନିର୍ଭୟା ଘଟଣାକୁ ପୁରିଲା ୧୧ ବର୍ଷ

ନୂଆଦିଲ୍ଲୀ,୧୬।୧୨: ଡିସେମ୍ବର ୧୬ ହେଉଛି ଭାରତ ଇତିହାସର ଏକ ଅନ୍ଧକାର ଅଧ୍ୟାୟ, ଏହା ଉଲ୍ଲେଖ ହେବା କ୍ଷଣି ମନ ଭାରି ହୋଇଯାଏ। ଏହା ହେଉଛି ସେହି ଦିନ ଯେତେବେଳେ ଏକ ନିରୀହ ଝିଇ ସହିତ ଘଟିଥିଲା ଅମାନୁଷିକ କାଣ୍ଡ, ଯାହା ସମସ୍ତଙ୍କୁ ଚକିତ କରିଥିଲା। ଏହି ଦିନ ଯେତେବେଳେ ଦେଶର ଝିଇକୁ ୬ଟି ନିର୍ଦ୍ଦୟ ବ୍ୟକ୍ତିଙ୍କ ଶିକାର ହେବାକୁ ପଡିଥିଲା। ଏହି ଦିନ ଘଟିଥିଲା ଦେଶର ବହୁ ଚର୍ଚ୍ଚିତ ନିର୍ଭୟା ବଳାତ୍କରେ ଘଟଣା। ଏହି ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା।
ନିର୍ଭୟା ବଳାତ୍କାର ମାମଲାରେ ଲୋକଙ୍କ ମଧ୍ୟରେ ଏତେ କ୍ରୋଧ ଥିଲା ଯେ ଲୋକମାନେ ରାଜଧାନୀ ରାସ୍ତାରେ ଯାଇ ପ୍ରଦର୍ଶନ କରିଥିଲେ। ଏହି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଏତେ ରାଗ ଥିଲା ଯେ ସେମାନେ ବିରୋଧ କରି ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ଶନିବାର (୧୬ ଡିସେମ୍ବର) ନିର୍ଭୟା ମାମଲାକୁ ୧୧ ବର୍ଷ ପୂରଣ ହୋଇଛି।
ସୂଚନାଯୋଗ୍ୟ, ଡିସେମ୍ବର ୧୬, ୨୦୧୨ର ଅନ୍ଧକାର ରାତିରେ ଦକ୍ଷିଣ ଦିଲ୍ଲୀର ଏକ ଚଳନ୍ତା ବସରେ ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଅତି ର୍ନିମମ ଭାବେ ବଳାତ୍କାର କରାଯାଇଥିଲା। ଏହି ମହିଳାଙ୍କ ନାମ ଜ୍ୟୋତି ସିଂ, ଯାହାଙ୍କୁ ପରେ ନିର୍ଭୟା କୁହାଯାଉଥିଲା। ନିର୍ଭୟା ଜଣେ ଫିଜିଓଥେରାପି ଇଣ୍ଟର୍ନ ଥିଲେ ଏବଂ ମୁଭି ଦେଖିବା ପରେ ତାଙ୍କ ବନ୍ଧୁ ଅବୀନ୍ଦ୍ର ପ୍ରତାପ ପାଣ୍ଡେଙ୍କ ସହ ସାକେତରୁ ଫେରୁଥିଲେ। ସରକାରୀ ବସ ପାଇ ନ ଥିବାରୁ ଦୁହେଁ ଏକ ଘରୋଇ ବସ ନେଇ ଦକ୍ଷିଣ ଦିଲ୍ଲୀର ମୁନରିକାକୁ ଯାଇଥିଲେ। ହେଲେ ସେହି ବସରେ ଡ୍ରାଇଭର ସମେତ ୬ଜଣ ବସିଥିଲେ। ଯେଉଁମାନେ ନିଶାସକ୍ତ ଅବସ୍ଥାରେ ଅତିନିର୍ଭମ ଭାବେ ନିର୍ଭୟାଙ୍କୁ ବଳାତ୍କାର କରିବା ସହ ତାଙ୍କ ପୁରୁଷ ବନ୍ଧୁଙ୍କୁ ଆହତ କରି କିଛି ବାଟ ନେଇ ଯିବା ପରେ ରାସ୍ତାରେ ଫୋପାଡି ଦେଇ ଚାଲି ଯାଇଥିଲେ। ପୋଲିସ ଏମାନଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ ସୁଦ୍ଧା ୨୯ ଡିସେମ୍ବର ୨୦୧୨ରେ ସିଙ୍ଗାପୁରରେ ନିର୍ଭୟାଙ୍କର ମୃତ୍ୟୁ ହୋଇଥିଲା। ପରେ ଏହି ମାମଲା ଦେଶକୁ ଦୋହଲାଇ ଦେଇଥିଲା। ଏହି ଘଟଣାର ଦୋଷୀଙ୍କୁ ଦଣ୍ଡ ଦେବାକୁ ଆଇନରେ ବି କିଛିଟା ପରିବର୍ତ୍ତନ କରାଯାଇଥିଲା।

 

Share