ଓଟିଏମ୍‌ ବଞ୍ଚାଓ ଶ୍ରମିକ ଆନ୍ଦୋଳନକୁ ୧୫ବର୍ଷ

ଚୌଦ୍ୱାର,୨।୯(ଡି.ଏନ୍‌.ଏ.): ୨୦୦୧ରୁ ବନ୍ଦ ହୋଇଯାଇଥିବା ସର୍ବବୃହତ୍‌ କମ୍ପୋଜିଟ ଲୁଗାକଳ ଓଡ଼ିଶା ଟେକ୍ସଟାଇଲ ମିଲ୍‌ (ଓଟିଏମ୍‌)ର ଶ୍ରମିକମାନେ ଚଳାଇଥିବା ଆନ୍ଦୋଳନ ୧୫ବର୍ଷ ପୂରଣ କରି ମଙ୍ଗଳବାରଠାରୁ ୧୬ବର୍ଷରେ ପଦାର୍ପଣ କରିଛି। ମିଲ୍‌ ବନ୍ଦ ହେବା ପରେ ଏଥିରେ କାର୍ଯ୍ୟରତ ୨୨୦୦ରୁ ଊର୍ଦ୍ଧ ଶ୍ରମିକ ଓ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ ଓ ଓଟିଏମ୍‌ର ପୁନରୁଦ୍ଧାର ଦାବିରେ ୨୦୦୫ରୁ ମିଲ୍‌ ସମ୍ମୁଖରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଓଟିଏମ୍‌ ବଞ୍ଚାଅ ସଂଗଠନ ଓ ବିରାଟ ଜନ କଲ୍ୟାଣ ସମିତିର ମିଳିତ ଆନୁକୂଲ୍ୟରେ ଚାଲିଥିବା ଏହି ଆନ୍ଦୋଳନର ୧୫ବର୍ଷ ପୂର୍ତ୍ତିରେ ମିଲ୍‌ ମୁଖ୍ୟ ଫାଟକ ସମ୍ମୁଖରେ ମଙ୍ଗଳବାର ଏକ ସାଧାରଣ ସଭା କରାଯାଇଥିଲା। ପ୍ରଥମେ ଆନ୍ଦୋଳନରତ ଶ୍ରମିକ ଓ କର୍ମଚାରୀମାନେ ଏକ ଶୋଭାଯାତ୍ରାରେ ଯାଇ ଓଟିଏମ୍‌ ବଜାରସ୍ଥିତ ଓଟିଏମ୍‌ର ପ୍ରତିଷ୍ଠାତା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଓଟିଏମ୍‌ ଗେଟ ସମ୍ମୁଖରେ ଶ୍ରମିକ ଆନ୍ଦୋଳନର ପ୍ରତୀକ ଲାଲଝଣ୍ଡା ଉତ୍ତୋଳନ କରିଥିଲେ। ଏହି ସଭାରେ ଶ୍ରମିକ ନେତା ଦୀପକ କୁମାର ବାରିକ୍‌, ବିଭୁ ପ୍ରସାଦ ରଥ, ଦୁଲାଳସେନ୍‌ ସ୍ବାଇଁ, ନବ କିଶୋର ଭୂୟଁା ପ୍ରମୁଖ ଉଦ୍‌ବୋଧନ ଦେଇ ମିଲ୍‌ ବନ୍ଦ ହେବାଠାରୁ ଏଯାବତ୍‌ ବକେୟା ପ୍ରାପ୍ୟ ପାଇ ନ ଥିବା ଶ୍ରମିକ ଓ କର୍ମଚାରୀମାନଙ୍କ ଦୁଃଖ କେହି ବୁଝୁ ନ ଥିବା ଅଭିଯୋଗ କରିଥିଲେ। ବକେୟା ପ୍ରାପ୍ୟକୁ ଚାହିଁଚାହିଁ ଏଯାବତ୍‌ ୬୦୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଓ ୨୮ଜଣ ଆମତ୍ହତ୍ୟା କରିଥିବା ସୂଚନା ଦେଇଥିଲେ। ତେଣୁ ସରକାର ଶ୍ରମିକମାନଙ୍କ ଅବସ୍ଥାକୁ ବିଚାର କରି ତୁରନ୍ତ ବକେୟା ପ୍ରାପ୍ୟ ପ୍ରଦାନ ସହ ଓଟିଏମ୍‌ ଭିତ୍ତିଭୂମି ଉପରେ ବିକଳ୍ପ ଶିଳ୍ପ ପ୍ରତିଷ୍ଠା କରି ବିଜୁ ବାବୁଙ୍କ ଶିଳ୍ପାୟନର ସ୍ବପ୍ନକୁ ପୁନର୍ଜିବିତ କରି ରଖିବାକୁ ନିବେଦନ କରିଥିଲେ। ଏଥିରେ ବିଜୟ ସାହୁ, କୃଷ୍ଣଚନ୍ଦ୍ର ପରିଡ଼ା, ସୁବାସ ନାୟକ, ଜୟରାମ ଷଡ଼ଙ୍ଗୀ, କାଳନ୍ଦୀ ବେହେରା, ରବି ସ୍ବାଇଁ ଓ ସରୋଜ ନାୟକଙ୍କ ସମେତ ବହୁ ଶ୍ରମିକ କରୋନା ନୀତି ନିୟମକୁ ମାନି ସାମିଲ ହୋଇଥିଲେ।

Share