ଜଳବନ୍ଦୀଙ୍କ ଅବସ୍ଥା ଦୁର୍ବିସହ

ଭୋଗରାଇ, ୨୫ା୮(ଡି. ଏନ. ଏ.): ସୁବର୍ଣ୍ଣରେଖା ବନ୍ୟାକୁ ୪ଦିନ ବିତିଛି। ବନ୍ୟା ବିପନ୍ନମାନେ ପିଲାଛୁଆ ଧରି ବିଭିନ୍ନ ଆଶ୍ରୟସ୍ଥଳୀ ଏବଂ ସୁରକ୍ଷିତ ବନ୍ଧବାଡ଼ରେ ପଲିଥିନ ପକାଇ ରହିଛନ୍ତି। ଏଭଳି ସ୍ଥିତିରେ ପୁଣି ଏକ ଘୁର୍ଣ୍ଣବଳୟ ଉପକୂଳମୁହାଁ ହୋଇ ବୁଧବାର ସକାଳଠୁ ବର୍ଷୁଥିବାରୁ ଜୀବନଜୀବିକା ବ୍ୟାହତ ହୋଇଛି। ବାହ୍ୟଜଗତରୁ ବିଚ୍ଛିନ୍ନ ଜଳବନ୍ଦୀଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଛି। ଚୁଲି ଜଳୁ ନ ଥିବାବେଳେ ଗ୍ୟାସ ଟାଙ୍କିରେ ଗରିବ ଗୁରୁବାଙ୍କ ରୋଷେଇ କରିବା ସମ୍ଭବ ହେଉନାହିଁ। ସମସ୍ତ ନଳକୂପ ବନ୍ୟା ପାଣିରେ ବୁଡ଼ିଯାଇଥିବା ବେଳେ ପିଇବା ପାଣି ସଙ୍କଟ ଦେଖାଦେଇଛି। କେବଳ ଗ୍ରାମ୍ୟ ପାଇପ ଜଳଯୋଗାଣ ବସୁଧା ପାଉଚ ଓ ବୋତଲ ସମୁଦ୍ରକୁ ଶଙ୍ଖେ ସଦୃଶ ପାଲଟିଛି। ଭୋଗରାଇ, ବାଲିଆପାଳ ଓ ଜଳେଶ୍ୱର ବ୍ଲକର ବହୁ ଗାଁ ଏବେ ବି ଜଳବନ୍ଦୀ ହୋଇଥିବାରୁ ଜୀବନଜୀବିକା ପ୍ରଭାବିତ ହୋଇଛି।

ବ୍ଲକର ୧୪ ପଞ୍ଚାୟତର ୮ହଜାର ୩୧୨ ବିପନ୍ନଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଇ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି। ସେହିପରି ଅନୁରୂପ ଭାବେ ଜଳେଶ୍ୱର, ବାଲିଆପାଳ ଓ ବସ୍ତା ବ୍ଲକରେ ଖାଦ୍ୟ ସାମଗ୍ରୀ ଦିଆଯାଉଥିବା ଖବର ମିଳିଛି। ବନ୍ୟା ଜଳ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ଆସନ୍ତା ଶୁକ୍ରବାର ଅମାବାସ୍ୟା ତିଥି ପଡୁଥିବାରୁ ସମୁଦ୍ରକୁ ବନ୍ୟା ପାଣି ନିଷ୍କାସନ ନ ହୋଇ ଜୁଆର ଜଳ ଠେଲି ରଖିବ। ବର୍ଷା ଲାଗି ରହିଲେ ବନ୍ୟା ଓ ବର୍ଷାଜଳ ମିଶି ଜଳ ଫୁଲିବା ସହିତ ବିପନ୍ନଙ୍କ ଅବସ୍ଥା ସାଙ୍ଘାତିକ ହେବ ବୋଲି କୁହାଯାଉଛି। ବର୍ଷା ଓ ବନ୍ୟା ଯୋଗୁ ପାଣିଘେରରେ ଥିବା ଲୋକେ ଦିନରାତି ସମାନ କରିଛନ୍ତି। ବିଭିନ୍ନ ଗ୍ରାମରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇପଡିବାରୁ ସା ହେଲେ ବିଷାକ୍ତ ସାପ କାମୁଡା ଭୟ ଘାରୁଛି। ବୁଧବାର ଅବିଶ୍ରାନ୍ତ ବର୍ଷାରେ ପ୍ରଶାସନ ବିପନ୍ନଙ୍କଠାରେ ପହଞ୍ଚି ନ ଥିବାରୁ ସ୍ଥିତି ଜଟିଳ ହୋଇଛି। ବହୁ ସାମାଜିକ ସଙ୍ଗଠନ ବନ୍ୟା ପ୍ରପୀଡ଼ିତ ଲୋକଙ୍କଠାରେ ପହଞ୍ଚି ଖାଦ୍ୟବସ୍ତ୍ର ସାହାଯ୍ୟ କରୁଛନ୍ତି। ଅଦ୍ୟାବଧି ରିଲିଫ ସାମଗ୍ରୀ ବିପନ୍ନଙ୍କଠାରେ ପହଞ୍ଚି ନ ଥିବା ଅଭିଯୋଗ ହୋଇଛି।