Advertisement
Categories: ରାୟଗଡା

୫ ଦିନ ହେଲା ମାଣ୍ଡିବିଶି ୟୁପି ସ୍କୁଲରେ ଝୁଲୁଛି ତାଲା

ଟିକିରି,୨୬।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ମାଣ୍ଡିବିଶି ୟୁପି ସ୍କୁଲ ଫାଟକରେ ୫ ଦିନ ହେଲା ତାଲା ଝୁଲୁଛି। ଶିକ୍ଷକ ଅଭାବ ପ୍ରତିବାଦରେ ଅଭିଭାବକ ଏବଂ ଗ୍ରାମବାସୀ ମଙ୍ଗଳବାରଠାରୁ ସ୍କୁଲ ବନ୍ଦ କରିଛନ୍ତି। ସମସ୍ୟାର ସମାଧାନ ନେଇ ଶିକ୍ଷା ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବାଧ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ମାଣ୍ଡିବିଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୭୧ ଛାତ୍ରୀଛାତ୍ର ପଢ଼ୁଛନ୍ତି। କିଛି ମାସ ତଳେ ପ୍ରଧାନ ଶିକ୍ଷକ ଅବସର ନେଇଛନ୍ତି। ଏହା ପରଠାରୁ ସ୍କୁଲ ମାତ୍ର ୨ ଜଣ ଶିକ୍ଷକକୁ ନେଇ ଚାଲିଛି। ଫଳରେ ପିଲାଙ୍କୁ ଠିକ୍‌ଭାବେ ଶିକ୍ଷାଦାନ ହୋଇପାରୁନାହିଁ। ଏ ନେଇ ଅନେକ ଥର ଶିକ୍ଷା ବିଭାଗ ଏବଂ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉନାହିଁ। ଫଳରେ ବାଧ୍ୟହୋଇ ଅଭିଭାବକ ଏବଂ ଗ୍ରାମବାସୀ ମଙ୍ଗଳବାର ଏହାର ସ୍କୁଲ ଫାଟକରେ ତାଲା ପକାଇଥିବା କହିଛନ୍ତି। ତେବେ ଏହି ଘଟଣାର ୫ ଦିନ ବିତିଯାଇଥିଲେ ମଧ୍ୟ ଶିକ୍ଷା ବିଭାଗ ଏବଂ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଅଭିଭାବକ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରି ସ୍କୁଲ ଖୋଲିବା ବ୍ୟବସ୍ଥା ମଧ୍ୟ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସ୍କୁଲରେ ନିଯୁକ୍ତ ଥିବା ୨ ଶିକ୍ଷୟିତ୍ରୀ ଶିକ୍ଷକ ସ୍କୁଲ ଖୋଲିବା ସମୟରେ ଆସି ଫାଟକରେ ତାଲା ପଡ଼ିଥିବାରୁ ଅପେକ୍ଷା କରି ଫେରିଯାଉଛନ୍ତି।
କାଶୀପୁର ବିଇଓଙ୍କ ଦାୟିତ୍ୱ ଏବେ ରାୟଗଡ଼ା ଡିଇଓଙ୍କ ହାତରେ ରହିଛି। ତଥାପି ଏହି ସ୍କୁଲ ୫ ଦିନ ହେଲା ବନ୍ଦ ରହିଛି। ତେବେ ଜିଲାର ଅନ୍ୟ ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାକୁ ଜିଲା ପ୍ରଶାସନ ଗୁରୁତର ସହ ନେଇ ତୁରନ୍ତ ସ୍କୁଲରେ ଆବଶ୍ୟକ ସଂଖ୍ୟାରେ ଶିକ୍ଷକ ନିଯୁକ୍ତି ଦେଇ ସ୍କୁଲ ଖୋଲିବା ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel