ଦାରିଙ୍ଗବାଡି/ ବ୍ରାହ୍ମଣିଗାଁ, ୩/୭: (ଅରୁଣ ସାହୁ /ମନୋରଞ୍ଜନ ରଣା)ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡ ପଞ୍ଚାୟତ ପୀଡିକାରିପି ଗ୍ରାମରେ ଥିବା ଯାତ୍ରୀ ବିଶ୍ରାମାଗାର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଥିବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ଉକ୍ତ ଗ୍ରାମଟି ଦୁର୍ଗମ ଅଞ୍ଚଳରେ ରହିଥିବା ବେଳେ ଗାଁ ମୁଣ୍ଡରେ ଲୋକେ ବିଭିନ୍ନ ଯାତ୍ରୀବାହୀ ଗାଡିକୁ ଅପେକ୍ଷା କରିବା ପାଇଁ ଗଛ ମୂଳ ଭରସା କରିବାକୁ ପଡୁଥିଲା। ଲୋକଙ୍କ ଏକାଧିକ ଦାବି ପରେ ପ୍ରଶାସନ ସେଠାରେ ଏକ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ଅନୁଦାନ ଦେଲେ, ହେଲେ ଦୀର୍ଘ ୫ ବର୍ଷ ହେଲା ଉକ୍ତ ବିଶ୍ରାମାଗାରର ଛାତ ପଡ଼ିନାହିଁ। ଫଳରେ ତାହା ଏବେ ନଷ୍ଟ ହେବାକୁ ବସିଲାଣି ବୋଲି ଗ୍ରାମର ବ୍ରହ୍ମାନନ୍ଦ ଦେଶମାଝି କହିଛନ୍ତି। ଏବେ ବର୍ଷା ଦିନ ଆସିଲା ତେଣୁ ଲୋକଙ୍କ ସମସ୍ୟା ପ୍ରତିବର୍ଷ ଭଳି ଦ୍ବିଗୁଣିତ ହୋଇଯାଇଛି। ସେହିପରି ଋଷିମାଳ ପର୍ବତକୁ ଶ୍ରଦ୍ଧାଳୁମାନେ ଆସୁଥିବା ବେଳେ ଏବେ ଘାଟି ଚଢି ଥକ୍କା ଲାଗିଲେ ବିଶ୍ରାମ ଟିକିଏ ନେବାକୁ ହଇରାଣ ଭୋଗୁଛନ୍ତି। ଶୀଘ୍ର ଉକ୍ତ ଯାତ୍ରୀ ବିଶ୍ରାମାଗାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ବିଡିଓ ଗଦାଧର ପାତ୍ର କହିଛନ୍ତି ଯେ ବିଶ୍ରାମାଗାର କାର୍ଯ୍ୟ ପାଇଁ ଆହୁରି ଅନୁଦାନ ଦିଆଯିବା ବ୍ୟବସ୍ଥା କରାଯିବ ଏବଂ କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି।