ଉଦ୍‌ଘାଟନକୁ ୬ ମାସ ପୂରିଲାନି

ପାଣିକୋଇଲି,୨୬ା୬(ବିକାଶ ମଲ୍ଲିକ): ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀଙ୍କ ହାତପାଣ୍ଠିରୁ ପାଣିକୋଇଲି ବଜାରରେ ଏକ ଯାତ୍ରୀ ବିଶ୍ରାମାଗାର ଓ ସୌରଚାଳିତ ପାଣିଟାଙ୍କି ନିର୍ମାଣ କରାଯାଇଛି। ଏହାକୁ ୨୦୨୩ ଜାନୁୟାରୀ ୧୯ରେ ଏମ୍‌ପି ସେଠୀ, ବିଧାୟକ ଅଶୋକ କୁମାର ବଳ, ଜିଲା ପରିଷଦ ସଭାପତି ନଳିନୀ ପ୍ରଭା ଯେନା ଓ କୋରେଇ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଦଳାଇଙ୍କ କରକମଳରେ ଉଦ୍‌ଘାଟନ କରାଯାଇଥିଲା। ହେଲେ ଉଦ୍‌ଘାଟନର ବହୁ ପୂର୍ବରୁ ଏହାକୁ କାର୍ଯ୍ୟକ୍ଷମ କରାଯାଇଥିଲା। ଟ୍ରେକର ଷ୍ଟାଣ୍ଡ ନିକଟରେ ପ୍ରତିଷ୍ଠା କରାଯାଇଥିବା ସୌରଚାଳିତ ପାଣିଟାଙ୍କିରୁ ୨୪ ଘଣ୍ଟିଆ ପାଣି ଯୋଗାଣ ହେଉଥିଲା। ଏହାଦ୍ୱାରା ଯାତ୍ରୀ ଓ ବଜାରବାସୀ ଉପକୃତ ହେଉଥିଲେ। ହେଲେ ଉଦ୍‌ଘାଟନର ମାତ୍ର ୬ମାସ ମଧ୍ୟରେ ଏହା ଅଚଳ ହୋଇପଡ଼ିଛି। ଫଳରେ ଜଳ ଯୋଗାଣ ବନ୍ଦ ରହିଛି। ବଜାରବାସୀ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଯାତ୍ରୀ ବିଶ୍ରାମାଗାରର ଛପର ଭାଙ୍ଗିଯାଇଛି। ଏବେ ସେଠାରୁ ପାଣି ଗଳୁଛି। ଏହି ବିଶ୍ରାମାଗାର ଯୋଗୁ ଯାତ୍ରୀମାନେ ବହୁଳ ଭାବେ ଉପକୃତ ହେଉଥିଲେ। ଏବେ ବର୍ଷା ଆରମ୍ଭରୁ ଯାତ୍ରୀ ବିଶ୍ରାମାଗାର ଛପର ଭାଙ୍ଗିଯାଇଥିବାରୁ ଯାତ୍ରୀଙ୍କୁ ଚିନ୍ତାରେ ପକାଇଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ କାହା ହାତକୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ଯାତ୍ରୀ ବିଶ୍ରାମାଗାରର ମରାମତି ଓ ପାନୀୟ ଜଳ ଯୋଗାଣକୁ ଠିକ କରିବାକୁ ପ୍ରଶାସନ ନିକଟରେ ସହଯୋଗ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଛି।

Share