Advertisement

ଗର୍ଜିଲେ ସ୍ବଚ୍ଛକର୍ମୀ: ମିଳିନି ୪ ମାସର ଦରମା

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅଧୀନରେ କାର୍ଯ୍ୟରତ ସ୍ବଚ୍ଛକର୍ମୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପାରିଶ୍ରମିକ ମିଳି ନ ଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଗୁରୁବାର ଶତାଧିକ ସ୍ବଚ୍ଛକର୍ମୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଧାରଣାରେ ବସିଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରି ସେମାନଙ୍କ ବକେୟା ଦରମା ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି।
ପ୍ରକାଶ ଯେ, ସ୍ବଚ୍ଛ ଭାରତ ମିଶନ ଯୋଜନାରେ ସ୍ବଚ୍ଛକର୍ମୀମାନେ କାର୍ଯ୍ୟ କରି ଆସୁଛନ୍ତି। ସହରର ପରିମଳ କାର୍ଯ୍ୟରେ ସେମାନେ ନିୟୋଜିତ ହୋଇ ଠିକ୍‌ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଅନ୍ୟପଟେ ସେମାନଙ୍କୁ ଠିକ୍‌ ଭାବେ ପ୍ରାପ୍ୟ ପ୍ରଦାନ କରାଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ପ୍ରତିବର୍ଷ ୪/୫ ମାସ ବ୍ୟବଧାନରେ ଥରେ ପାରିଶ୍ରମିକ ପ୍ରଦାନ କରାଯାଉଛି। ଫଳରେ ସେମାନେ ବହୁ ହଇରାଣ ହେଉଛନ୍ତି। ଏ ନେଇ ପୌର ନିର୍ବାହୀ ଅଧିକାରୀ ଏବଂ ପୌରାଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କିଛି ସୁଫଳ ମିଳି ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ସେହିପରି ସ୍ବଚ୍ଛକର୍ମୀଙ୍କ ଇପିଏଫ୍‌ କଟିବା କହି ସେମାନଙ୍କଠାରୁ ଆଧାର, ଫଟୋ ଏବଂ ଅନ୍ୟ କାଗଜାତ୍‌ ନିଆଯାଇଛି। କିନ୍ତୁ ଇପିଏଫ୍‌ ବାବଦକୁ କେତେ କଟୁଛି, ତାହା ମଧ୍ୟ ସେମାନଙ୍କୁ ଜଣାଇ ଦିଆଯାଉ ନ ଥିବା ସେମାନେ କହିଛନ୍ତି। ଫଳରେ ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ସ୍ବଚ୍ଛକର୍ମୀ ସୁମନ କୁମ୍ଭାର, କୁନ୍ତଳା ସୁନା, ସୀମା ତାଣ୍ଡି, ଶର୍ମିଷ୍ଠା ଭୁଏଙ୍କ ସମେତ ବହୁ ସ୍ବଚ୍ଛକର୍ମୀ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share