୯ରେ ରେଳରୋକୋ ନିଷ୍ପତ୍ତି

ରୂପସା,୬।୫(ଡି.ଏନ୍‌.ଏ.): ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅଧୀନ ବାଲେଶ୍ୱର ଜିଲା ହଳଦୀପଦା ରେଳଷ୍ଟେଶନ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଦାବି ପୂରଣ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଅଣଦେଖା କରୁଥିବାରୁ ସାଧାରଣରେ ଅସନ୍ତୋଷ ଲାଗ ିରହିଛି। ପ୍ରତିବାଦରେ ଆସନ୍ତା ୯ ତାରିଖରେ ହଳଦୀପଦା ପ୍ରଗତି ମଞ୍ଚ ପକ୍ଷରୁ ରେଳରୋକୋ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଷ୍ଟେଶନରେ ମୁଖ୍ୟତଃ ପୂର୍ବଭଳି ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ ରହଣି କରିବା, ରିଜର୍ଭେଶନ କାଉଣ୍ଟର ଖୋଲାଯିବା, ନିଧିପଣ୍ଡା ପୋଲ ଉପରେ ବ୍ରିଜ ନିର୍ମାଣ, ଷ୍ଟେଶନରେ ଏଟିଏମ୍‌, ପାନୀୟଜଳ ଓ ଉଜ୍ୱଳ ଆଲୋକ ବ୍ୟବସ୍ଥା, ଖଡ଼ଗପୁର-ଜଳେଶ୍ୱର ମେମୋ ଲୋକାଲ ଟ୍ରେନ ବାଲେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣ ଆଦି ୧୦ଦଫା ଦାବି ପୂରଣ ପାଇଁ ବାରମ୍ବାର ପ୍ରଗତି ମଞ୍ଚ ପକ୍ଷରୁ ରେଳବିଭାଗ ଓ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

୨୦୨୧ ଫେବୃୟାରୀ ୧୫ରେ ରେଳରୋକୋ ଆନ୍ଦୋଳନ ପରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ଦାବି ପୂରଣ ଦିଗରେ ପ୍ରତିଶ୍ରୁତି ମିଳିବା ପରେ ରେଳରୋକୋ ପ୍ରତ୍ୟାହୃତ ହୋଇଥିଲା। ବିଭାଗୀୟ ପଦକ୍ଷେପ ନିଆ ନ ଯିବାରୁ ପୁଣି ୨୦୨୧ ଏପ୍ରିଲ ୫, ମେ’ ୧୦ ଓ ୨୦୨୨ ଏପ୍ରିଲ ୧୮ରେ ରେଳରୋକୋ ଡାକରା ଦିଆଯାଇଥିଲା। ବାରମ୍ବାର ପ୍ରତିଶ୍ରୁତି ମୁତାବକ ଦାବି ପୂରଣ ହେଉ ନ ଥିବାରୁ ଆସନ୍ତା ୯ ତାରିଖରେ ସୋମବାର ପୁଣି ରେଳରୋକୋ ହେବ ବୋଲି ମଞ୍ଚ ସଭାପତି ରବୀନ୍ଦ୍ର ନାଥ ମହାନ୍ତି, ବରିଷ୍ଠ କାର୍ଯ୍ୟକର୍ତ୍ତା ରାଧାକୃଷ୍ଣ ସାହୁ, ଚୈତନ୍ୟ ପ୍ରସାଦ ସାହୁ, ସନ୍ୟାସୀ ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି।