୧୯ରେ ଗଣ ସତ୍ୟାଗ୍ରହ ନିଷ୍ପତ୍ତି

ଯାଜପୁର ଟାଉନ,୧୩ା୨(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) :ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ଆସନ୍ତା ୧୯ରେ ଗଣସତ୍ୟାଗ୍ରହ କରାଯିବ ବୋଲି ସୂଚନା ଦିଆଯାଇଛି ା ୨୦୧୩ ପୂର୍ବରୁ ବିଭିନ୍ନ ଚିଟ୍‌ଫଣ୍ଡ କମ୍ପାନୀ ଲୋକମାନଙ୍କଠାରୁ ଅନେକ କୋଟି ଟଙ୍କା ନେଇ ଫେରସ୍ତ କରି ନ ଥିବା ବେଳେ ରାଜ୍ୟ ସରକାର କମିଶନ ବସାଇ କ୍ଷତିଗ୍ରସ୍ତମାନଙ୍କୁ ଟଙ୍କା ଫେରସ୍ତ ଦେବାର ପ୍ରଲୋଭନ ଦେଖାଇ ଆଜି ପର୍ଯ୍ୟନ୍ତ କ୍ଷତିଗ୍ରସ୍ତମାନଙ୍କୁ ଟଙ୍କା ଫେରସ୍ତ କରାଯାଇନାହିଁ। ସେହିପରି ଯାଜପୁର ଜିଲା ସମେତ ବିଭିନ୍ନ ଜିଲାର ରୋଜ୍‌ଭେଲି କମ୍ପାନୀର ଜମାକାରୀଙ୍କଠାରୁ ମୂଳଜମା ରାଶିର ଅସଲ ପ୍ରମାଣପତ୍ର ଆର.ଆଇ. ଓ ତହସିଲଦାରଙ୍କ ଜରିଆରେ ରାଜ୍ୟ ସରକାର ନେଇଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତକାରୀମାନଙ୍କୁ ଟଙ୍କା ଫେରସ୍ତ କରିନାହାନ୍ତି। ସେହିପରି ସିସୋର, ଗୋଲ୍‌ଡେନ୍‌ ଲ୍ୟାଣ୍ଡ ସମେତ ୨୦ଟି କମ୍ପାନୀର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସରକାର ଉକ୍ତ କମ୍ପାନୀମାନଙ୍କର ସମ୍ପତ୍ତିକୁ ଶାଗମାଛ ଦାମରେ ବିକି ନିଜ ପାଖରେ ସେହି ଅର୍ଥ ରଖିଛନ୍ତି। ଏଥିପାଇଁ ଯାଜପୁର ଜିଲାର ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ସୋମବାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ଖବରଦାତା ସମ୍ମିଳନୀ କରି ଆସନ୍ତା ୧୯ ତାରିଖ ଦିନ ଜମାକାରୀ ଗଣସତ୍ୟଗ୍ରହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ଦିନ ଜିଲାର ସମସ୍ତ ଚିଟ୍‌ଫଣ୍ଡ କମ୍ପାନୀ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀ ସ୍ଥାନୀୟ ଏନ.ସି କଲେଜ୍‌ ପଡ଼ିଆରେ ସମାବେଶ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣସତ୍ୟାଗ୍ରହ କରାଯିବା ବୋଲି ଆହ୍ବାନ ଦିଆଯାଇଛି। ଏହି ଖବରଦାତା ସମ୍ମିଳନୀରେ ମିଳିତ ମଞ୍ଚର ରାଜ୍ୟ ଯୁଗ୍ମ ଆବାହକ ଉମେଶ ଚନ୍ଦ୍ର ନାୟକ, ଜିଲା ସଭାପଭି ବିଷ୍ଣୁଚରଣ ଜେନା, ସମ୍ପାଦକ ଉମେଶ କୁମାର ସାହୁ, ତିଗ୍‌ମାଂଶୁ ମହାରଣ୍ୟ , ଆଲୋକ ବାରିକ , ଯତିନ କୁମାର ଦାସ, ରାମଚନ୍ଦ୍ର ମହାପାତ୍ର, ପ୍ରଦୀପ ସାହୁ, ବନମାଳୀ ବାରିକ, ଅର୍ଜୁନ କୁମାର ବେହେରା, ରଞ୍ଜନ ବେହେରା, ଆଲୋକ ପତି ପ୍ରମୁଖ ଉପସ୍ଥିତ ଥିଲେ।