ଓମିକ୍ରନ୍‌କୁ ପ୍ରାକୃତିକ ଟିକା କହିବା ବିପଜ୍ଜନକ ଧାରଣା

ନୂଆଦିଲ୍ଲୀ, ୩।୧: ଓମିକ୍ରନ୍‌ ଏକ ପ୍ରାକୃତିକ ଟିକା ବୋଲି କେତେଜଣ ଦାୟିତ୍ୱଶୂନ୍ୟ ଲୋକ ପ୍ରଚାର ଚଳାଇଛନ୍ତି। ଏହା ଏକ ବିପଜ୍ଜନକ ଧାରଣା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଦୀର୍ଘ କୋଭିଡ୍‌କୁ ସେମାନେ ହିସାବକୁ ନ ନେଇ ଦାୟିତ୍ୱଶୂନ୍ୟ ପ୍ରଚାର କରୁଥିବା ବିଶେଷଜ୍ଞ କହିଛନ୍ତି। କୋଭିଡ୍‌-୧୯ର ଅନ୍ୟ ସମସ୍ତ ଭାରିଆଣ୍ଟଠାରୁ ଓମିକ୍ରନ୍‌ ଅଧିକ ସଂକ୍ରାମକ। ତେବେ ଏଥିରେ କେହି ଗୁରୁତର ହେଉ ନ ଥିବା ଏବଂ କ୍ୱଚିତ୍‌ ହସ୍ପିଟାଲରେ ଭର୍ତ୍ତି ହେଉଥିବାରୁ ଏହା ପ୍ରାକୃତିକ ଟିକା ଭାବେ କାର୍ଯ୍ୟ କରୁଛି ବୋଲି କେତେଜଣ ଲୋକ ଧାରଣା ସୃଷ୍ଟି କରିଛନ୍ତି। ନିକଟରେ ମହାରାଷ୍ଟ୍ର ସ୍ବାସ୍ଥ୍ୟ ଅଧିକାରୀ ମଧ୍ୟ ଓମିକ୍ରନ୍‌ ପ୍ରାକୃତିକ ଟିକା ଭଳି କାର୍ଯ୍ୟ କରୁଥିବା କହିଥିଲେ। ତେବେ ଏଭଳି ଧାରଣା ବିପଜ୍ଜନକ ବୋଲି ବିଶିଷ୍ଟ ଭାଇରୋଲୋଜିଷ୍ଟ ଶହିଦ ଜାମିଲ କହିଛନ୍ତି। ଭାରତରେ ଅପପୁଷ୍ଟି, ବାୟୁ ପ୍ରଦୂଷଣ, ଡାଇବେଟିସ୍‌ ହାର ଅଧିକ ଥିବାରୁ ଲୋକଙ୍କୁ ଜାଣିଶୁଣି ଓମିିକ୍ରନ୍‌ ସଂକ୍ରମିତ ହେବାକୁ ଛାଡ଼ିଦେବା ବିଜ୍ଞାନ ଓ ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ଓମିକ୍ରନ୍‌ କାହାକୁ ଗୁରୁତର କରୁ ନ ଥିଲେ ମଧ୍ୟ ଏହାକୁ ଟିକା ବିବେଚନା କରାଯାଇ ପାରିବ ନାହଁି ବୋଲି ପବ୍ଲିକ୍‌ ହେଲ୍‌ଥ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆର ଲାଇଫ୍‌କୋର୍ସ ଏପିଡେମିଓଲୋଜି ମୁଖ୍ୟ ପ୍ରଫେସର ଗିରିଧର ଆର୍‌ ବାବୁ କହିଛନ୍ତି। ଓମିକ୍ରନ୍‌ରେ ମଧ୍ୟ ଲୋକେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ଓ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେଣୁ ଭୁଲ୍‌ ସୂଚନାଠାରୁ ଦୂରେଇ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି। ଓମିକ୍ରନ୍‌ର ଦୀର୍ଘମିଆଦୀ ପ୍ରଭାବ ରହିପାରେ। ତେଣୁ ଲୋକେ ଯତ୍ନବାନ୍‌ ହେବା ଲାଗି ଉଜଳା ସିଗ୍‌ନସ୍‌ ଗ୍ରୁପ୍‌ ଅଫ୍‌ ହସ୍ପିଟାଲର ପ୍ରତିଷ୍ଠାତା ନିର୍ଦ୍ଦେଶକ ସୁଚିନ ବଜାଜ କହିଛନ୍ତି। କାରଣ ସାମାନ୍ୟ ସଂକ୍ରମଣ ପରେ ମଧ୍ୟ ଏହି ଭାରିଆଣ୍ଟ ଫୁସ୍‌ଫୁସ୍‌, ହୃତ୍‌ପିଣ୍ଡ, କିଡ୍‌ନୀ ଆଦି ବିଭିନ୍ନ ଅଙ୍ଗରେ ୬ ମାସରୁ ଅଧିକ ସମୟ ରହିପାରେ। ତେଣୁ ଏହା କେତେ ଦୀର୍ଘମିଆଦୀ ପ୍ରଭାବ ପକାଇବ ତାହା ପ୍ରକୃତରେ ଜଣାନାହିଁ। ଅଧିକାଂଶ ଫୁସ୍‌ଫୁସ୍‌ କୋଭିଡ୍‌ ରୋଗୀଙ୍କଠାରେ ମସ୍ତିଷ୍କ ଓ ହୃତ୍‌ପିଣ୍ଡ ସମସ୍ୟା ଦେଖାଯାଇଛି। ଡେଲ୍ଟାଠାରୁ ଏହା କମ୍‌ ଗୁରୁତର ଭର୍ସନ ହେଲେ ମଧ୍ୟ ଭୂତାଣୁ। ସେଥିପାଇଁ ସତର୍କ ରହିବା ଜରୁରୀ ବୋଲି ବଜାଜ କହିଛନ୍ତି।

 

Share