Categories: ଜାତୀୟ

ଘରେ ରେମ୍‌ଡେସିଭିର୍‌ ନ ନେବାକୁ ପରାମର୍ଶ

ନୂଆଦିଲ୍ଲୀ, ୩୦।୪(ପି.ଟି.):ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ ହୋମ୍‌ ଆଇସୋଲେଶନ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ସଂଶୋଧିତ ଗାଇଡ୍‌ଲାଇନ ଜାରି କରିଛି। ଘରେ ରହୁଥିବା ରୋଗୀ ରେମ୍‌ଡେସିଭିର ଇଞ୍ଜେକ୍‌ଶନ ନ ନେବା ପାଇଁ ପରାମର୍ଶ ଦିଆଯାଇଛି। କେବଳ ହସ୍ପିଟାଲରେ ରହୁଥିବା ରୋଗୀଙ୍କୁ ରେମ୍‌ଡେସିଭିର ଦିଆଯାଇପାରିବ। ଘରେ ରହୁଥିବା ସଂକ୍ରମିତଙ୍କଠାରୁ ଅନ୍ୟ କାହାକୁ ଯେପରି ଭୂତାଣୁ ନ ବ୍ୟାପେ ସେଥିପାଇଁ ସେ ସବୁବେଳ ପାଇଁ ତିନି ସ୍ତରୀୟ ମେଡିକାଲ ମାସ୍କ ନିଶ୍ଚୟ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ସଂକ୍ରମିତ ରହୁଥିବା ଘରେ ଉପଯୁକ୍ତ ବାୟୁ ଚଳାଚଳ ହେଉଥିବା ଆବଶ୍ୟକ। ହୋମ୍‌ ଆଇସୋଲେଶନ ଶେଷ ହେବା ପରେ ଆଉ ପରୀକ୍ଷା କରାଇବା ଆବଶ୍ୟକ ନାହିଁ।
ଗାଇଡ୍‌ଲାଇନ ଅନୁଯାୟୀ ଯଦି ୭ ଦିନରୁ କମ୍‌ ଜ୍ୱର ଓ କାଶ ଆଦି ଲକ୍ଷଣ ଦେଖାଦିଏ, ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ଓରାଲ ଷ୍ଟେରଏଡ୍‌ର କମ୍‌ ମାତ୍ରା ନେଇପାରିବେ। ସେହିପରି ୬୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ଯେଉଁମାନଙ୍କର ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍‌ରୋଗ, ଦୀର୍ଘଦିନର ଫୁସ୍‌ଫୁସ, ଲିଭର କିମ୍ବା କିଡ୍‌ନୀ ରୋଗ ରହିଛି, ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଉପଯୁକ୍ତ ମୂଲ୍ୟାୟନ କରିବା ପରେ ହୋମ୍‌ ଆଇସୋଲୋଶନ ପାଇଁ ଅନୁମତି ଦିଆଯାଇପାରିବ। ଅମ୍ଳଜାନ ସାଚୁରେଶନ ସ୍ତର ହ୍ରାସ ପାଇଲେ ବା ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ ରୋଗୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଡାକ୍ତର କିମ୍ବା ସର୍ଭିଲାନ୍ସ ଟିମ୍‌ର ପରାମର୍ଶ ନେବା ଆବଶ୍ୟକ।
ନୂଆ ଗାଇଡ୍‌ଲାଇନ ଅନୁଯାୟୀ ରୋଗୀ ଦିନକୁ ଦୁଇଥର ଗରମ ପାଣି ଗର୍ଗଲ କରିପାରିବେ କିମ୍ବା ବାମ୍ପ ଚିକିତ୍ସା କରିପାରିବେ। ପାରାସିଟାମଲ ୬୫୦ ମି.ଗ୍ରା ଦିନକୁ ୪ ଥର ନେବା ସତ୍ତ୍ୱେ ଯଦି ଜ୍ୱର ନିୟନ୍ତ୍ରଣକୁ ନ ଆସେ ତେବେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି।

Share