କାଳବୈଶାଖୀରେ ଭାଙ୍ଗିଛି, ସଜଡ଼ା ଯାଉନି

ମାଲକାନଗିରି,୧୬ା୬(ଦୁର୍ଯ୍ୟୋଧନ ପାତ୍ର): ଆସନ୍ତା ୧୯ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। କିନ୍ତୁ କାଳବୈଶାଖୀରେ କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲଗୁଡିକ ଅଦ୍ୟାବଧି ମରାମତି ହୋଇ ନ ଥିବା ଜଣାପଡ଼ିଛି। ଗତ ୧ ତାରିଖରେ ମାଲକାନଗିରି ଜିଲାରେ କାଳବୈଶାଖୀରେ ବହୁ କ୍ଷୟକ୍ଷତି ହୋଇଥଲା। ସଦର ମହକୁମାରେ ଥିବା ୫-ଟି ବାଳକ ଉଚ୍ଚ ବିଦ୍ୟାଳୟ ଟିଣ ଉଡ଼ିଯିବା ସହ ବିଦ୍ୟାଳୟ ପରିସରରେ ଥିବା ଅନେକ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ିଛି। ଡାଳଗୁଡିକ ଭାଙ୍ଗି ଏଣେତେଣେ ପଡିଛି। ପାଣି ଟାଙ୍କି ପାଇପ୍‌ଗୁଡିକ ଗଛ ପଡି ଭାଙ୍ଗି ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି। ତେବେ ଘର ଉପରେ ପଡ଼ିଥିବା ବଡ଼ ଗଛଗୁଡିକ ଅଗ୍ନିଶମ କର୍ମଚାରୀମାନେ କାଟିଥିଲେ ମଧ୍ୟ ଘଟଣାସ୍ଥଳରେ ଡାଳ ଗଣ୍ଡି ପଡି ରହିଛି।
ବିଦ୍ୟାଳୟ ଖୋଲିବା ସମୟ ପାଖେଇ ଆସୁଥିଲେ ହେଁ ଏପର୍ଯ୍ୟନ୍ତ ଏହି ୫-ଟି ଉଚ୍ଚ ବିଦ୍ୟାଳୟ ପରିସର ସଫା କରାଯାଇନାହିଁ । ଗଛ, ଡାଳ ଓ ଟିଣଗୁଡିକ ତଳେ ପଡ଼ିରହିଛି। ଏପରି ସ୍ଥଳେ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ କିପରି ଅଧ୍ୟୟନ କରିବେ ତାହାକୁ ନେଇ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପଣ୍ଡାଙ୍କୁ ପଚାରିବାରୁ ଘଟଣା ପରଦିନ କାଳବୈଶାଖୀରେ ସ୍କୁଲ ନଷ୍ଟ ହୋଇଥିବା ସମ୍ପର୍କରେ ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇଛି। ତେବେ ଏପର୍ଯ୍ୟନ୍ତ ମରାମତି ହୋଇନାହିଁ ବୋଲି ସେ କହିଛନ୍ତି ା