Categories: ଖେଳ

ଓଡ଼ିଶାରେ ୪ ରଣଜୀ ଟ୍ରଫି ମ୍ୟାଚ୍‌ ଆୟୋଜନ ନେଇ ସ୍ପଷ୍ଟ: ଖୁବଶୀଘ୍ର ପ୍ରକାଶ ପାଇବ ଭେନ୍ୟୁ ତାଲିକା

ଭୁବନେଶ୍ୱର,୨୦।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୨୦୨୩-୨୪ ଘରୋଇ କ୍ରିକେଟ ସିଜନ କାର୍ଯ୍ୟସୂଚୀ ଅନୁସାରେ ଓଡ଼ିଶାରେ ଏଲିଟ ଗ୍ରୁପ୍‌-ଡି’ର ୪ଟି ରଣଜୀ ଟ୍ରଫି ମ୍ୟାଚ ଆୟୋଜନ ସ୍ପଷ୍ଟ ହୋଇଛି। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଏହା ସୂଚାଇ ଦିଆଯାଇଛି। ଭେନ୍ୟୁ ତାଲିକା ଦିଆଯାଇ ନ ଥିଲେ ମଧ୍ୟ ୨୦୨୪ ଜାନୁୟାରୀ ୧୯ରୁ ଫେବୃୟାରୀ ୯ ମଧ୍ୟରେ ୪ଟି ମ୍ୟାଚ୍‌ ଆୟୋଜନ ନେଇ ସ୍ପଷ୍ଟ କରାଯାଇଛି। ପ୍ରକାଶିତ କାର୍ଯ୍ୟସୂଚୀ ଅନୁସାରେ ୨୦୨୪ ଜାନୁୟାରୀ ୧୯ରୁ ୨୨ ପର୍ଯ୍ୟନ୍ତ ଓଡ଼ିଶା ଓ ଜମ୍ମୁ-କଶ୍ମୀର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଏହାପରେ ଜାନୁୟାରୀ ୨୬ରୁ ୨୯ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ, ଫେବୃୟାରୀ ୨ରୁ ୫ ପର୍ଯ୍ୟନ୍ତ ପଣ୍ଡିଚେରୀ ଓ ଫେବୃୟାରୀ ୯ରୁ ୧୨ ପର୍ଯ୍ୟନ୍ତ ଉତ୍ତରା ଖଣ୍ଡକୁ ଭେଟିବ ଓଡ଼ିଶା।

ସିନିୟର ମହିଳା ଟି୨୦ ଟ୍ରଫି ଗ୍ରୁପ୍‌ ‘ସି’ ଲିଗ୍‌ ଗୁରୁବାରଠାରୁ କଟକର ବାରବାଟୀ ଷ୍ଟାଡିୟମ ଓ ଭୁବନେଶ୍ୱରର କିଟ୍‌ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ଦୁଇ ଭେନ୍ୟୁରେ ଲିଗ୍‌ ମ୍ୟାଚ ଗୁଡ଼ିକ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୨୧ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ସେହିପରି ୧୬ ବର୍ଷରୁ କମ୍‌ ପୁରୁଷ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ପ୍ଲେଟ୍‌ ଗ୍ରୁପ୍‌ ଲିଗ୍‌ ଡିସେମ୍ବର ୧ରୁ ୨୩ ପର୍ଯ୍ୟନ୍ତ ଚାଲିବ। ମ୍ୟାଚଗୁଡ଼ିକ ୩ ଦିନ ବିଶିଷ୍ଟ ହେବ ଏବଂ ଏଥିରେ ମୋଟ ୧୫ଟି ମ୍ୟାଚ ଆୟୋଜନ ହେବ। ୧୯ ବର୍ଷରୁ କମ୍‌ ପୁରୁଷ କୁଚ୍‌ ବିହାର ଟ୍ରଫି ଏଲିଟ ଗ୍ରୁପ୍‌-ଇ ଲିଗ୍‌ର ୩ଟି ମ୍ୟାଚ ନଭେମ୍ବର ୧୭ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ଚାଲିବ। ଏଥିରେ ଓଡ଼ିଶା ୩ଟି ମ୍ୟାଚରେ ଯଥାକ୍ରମେ ପଣ୍ଡିଚେରୀ, ହାଇଦ୍ରାବାଦ ଓ ଛତିଶଗଡ଼କୁ ଭେଟିବ। ମ୍ୟାଚଗୁଡ଼ିକ ୪ ଦିନ ବିଶିଷ୍ଟ ହେବ। ୨୩ ବର୍ଷରୁ କମ୍‌ ପୁରୁଷ ସି.କେ. ନାଇଡ଼ୁ ଟ୍ରଫି ଏଲିଟ ଗ୍ରୁପ୍‌-ସି ଲିଗ୍‌ର ୩ଟି ମ୍ୟାଚ ୨୦୨୪ ଜାନୁୟାରୀ ୭ରୁ ଫେବୃୟାରୀ ୨୧ ପର୍ଯ୍ୟନ୍ତ ଆୟୋଜନ ହେବ। ଏଥିରେ ୩ଟି ମ୍ୟାଚରେ ଓଡ଼ିଶା ଯଥାକ୍ରମେ ସୌରାଷ୍ଟ୍ର, ଝାଡ଼ଖଣ୍ଡ ଓ ପଞ୍ଜାବ ସହିତ ମୁକାବିଲା କରିବ।

Share