ଦଳୀୟ କନ୍ଦଳ ସଭିଙ୍କୁ ଅଡ଼ୁଆ

ବରଗଡ଼,୧୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରମୁଖ ୩ ଦଳ ବିଜେଡି, ଭାଜପା ଓ କଂଗ୍ରେସରୁ ଆଶାୟୀମାନେ ଟିକେଟ ପାଇବା ପାଇଁ ନିଜସ୍ବ ଢଙ୍ଗରେ ପ୍ରୟାସ କରୁଛନ୍ତି। ଏଠାରେ ବିଧାୟକ ଅଛନ୍ତି ବିଜେଡିର ଦେବେଶ ଆଚାର୍ଯ୍ୟ। ଅଦ୍ୟାବଧି ଭାଜପା ଏହି ନିର୍ବାଚନମଣ୍ଡଳୀରୁ ଖାତା ଖୋଲିପାରି ନ ଥିବାବେଳେ ଗତ ୩ଟି ସାଧାରଣ ନିର୍ବାଚନ ମଧ୍ୟରୁ କଂଗ୍ରେସ ଥରୁଟିଏ ଜିତିପାରିଛି।
ଏହି ନିର୍ବାଚନମଣ୍ଡଳୀ ଅଧୀନରେ ରହିଥିବା ବରଗଡ଼ ପୌର ପରିଷଦକୁ ବିଜେଡିି ନିଜ ଦଖଲରେ ରଖିଆସୁଛି। କେବଳ ସେତିକି ନୁହେଁ, ଗତ ୨ଟି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦେଖିଲେ, ପଞ୍ଚାୟତ ସମିତି ମଧ୍ୟ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ହାତରେ ଅଛି। ସେହିପରି ଗତ ପଞ୍ଚାୟତ ଭୋଟ୍‌ରେ ଏହି ନିର୍ବାଚନମଣ୍ଡଳୀର ସବୁ ଜିଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ହିଁ ବିଜୟୀ ହୋଇଥିଲେ। ସେହି ଦୃଷ୍ଟିରୁ ଦେଖିଲେ ବିଜେଡି ଅନ୍ୟ ଦୁଇ ଦଳଠାରୁ ଅପେକ୍ଷାକୃତ ଭଲ ସ୍ଥିତିରେ ଅଛି। ଅପରପକ୍ଷେ ନିର୍ବାଚନମଣ୍ଡଳୀକୁ ଦଖଲ କରିବା ପାଇଁ ବିରୋଧୀ ଭାଜପା ଏବଂ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛନ୍ତି। ଦେଖିବାକୁ ଗଲେ ସବୁ ଦଳରେ ଆଶାୟୀଙ୍କ ତାଲିକା ଲମ୍ବି ଚାଲିଛି। ଅନେକେ ଏବେ ଗାଁ ମୁହାଁ ହେଲେଣି। ଏପରିକି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆର୍ଥିକ ସହାୟତା ଯୋଗାଉଥିବା ଚର୍ଚ୍ଚା ହେଉଛି। ଏତେସବୁ ଭିତରେ ଦଳ ମଧ୍ୟରେ ରହିଥିବା କନ୍ଦଳ ସଭିଙ୍କୁ ଅଡ଼ୁଆ ହେଉଥିବା କଥା ଉଠୁଛି।
ବିଜେଡିରେ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସାଧୁ ନେପାକଙ୍କ ନାମକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଦେବେଶ କ୍ରମାଗତ ୨ଥର ଏହି ଆସନରୁ ନିର୍ବାଚିତ ହୋଇ ସାରିଥିବାବେଳେ ପୌର ଏବଂ ପଞ୍ଚାୟତ ସମିତି ଗଠନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସେହିପରି ଚର୍ଚ୍ଚାରେ ଥିବା ଅନ୍ୟତମ ଆଶାୟୀ ସାଧୁ ନେପାକ ୨୦୦୯ ନିର୍ବାଚନରେ କଂଗ୍ରେସରୁ ବିଜୟୀ ହୋଇଥିବା ବେଳେ ୨୦୧୪ରେ ବିଜେଡିର ଦେବେଶଙ୍କଠାରୁ ହାରିଯାଇଥିଲେ। ଏହି ଦୃଷ୍ଟିରୁ ବିଜେଡି ଏଠାରୁ ଦେବେଶଙ୍କୁ ତୃତୀୟଥର ପାଇଁ ନିଶ୍ଚିତ ଟିକେଟ୍‌ ଦେବ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ଅନ୍ୟପଟେ ୨୦୧୯ରେ କଂଗ୍ରେସ ସାଧୁଙ୍କୁ ଟିକେଟ ନ ଦେବାରୁ ସେ ବିଜେଡିରେ ଯୋଗଦେଇଥିଲେ। ତେଣୁ ସାଧୁଙ୍କୁ ବିଜେଡି ଯେଭଳି ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ କଲା, ଆଗାମୀ ସାଧାରଣ ନିର୍ବାଚନରେ ତାଙ୍କୁ ବିଧାନସଭା କିମ୍ବା ଲୋକ ସଭା ଟିକେଟ ମିଳିପାରେ ବୋଲି ସମର୍ଥକମାନେ ଆଶା ରଖିଛନ୍ତି। ଏଭଳିସ୍ଥଳେ ପ୍ରତ୍ୟକ୍ଷରେ ନ ହେଲେ ମଧ୍ୟ ପରୋକ୍ଷରେ ସାଧୁ-ଦେବେଶଙ୍କ ଅନ୍ତର୍ଦ୍ୱନ୍ଦ୍ୱ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବ୍ୟାନରରୁ ଏହା ବେଶ୍‌ ପ୍ରତୀୟମାନ ହେଉଛି। ସାଧୁଙ୍କ ବ୍ୟାନରରେ ସ୍ଥାନୀୟ ବିଧାୟକ ଦେବେଶଙ୍କ ଫଟୋ ନ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ଭଟଲି ବିଧାୟକ ସୁଶାନ୍ତ ସିଂ, ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଫଟୋ ରହିଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଦେବେଶଙ୍କ ବ୍ୟାନରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ଦଳର ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ପୂର୍ବତନ ବିଧାୟକ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ଫଟୋ ଥିବା ପରିଲକ୍ଷିତ ହୋଇଛି।
ଭାଜପାରେ ଆଶାୟୀଙ୍କ ତାଲିକା ଆହୁରି ଲମ୍ବା। ଏହି ଦଳରେ ଅଶ୍ୱିନୀ ଷଡ଼ଙ୍ଗୀ, ଲିପ୍‌ସିତ ମିଶ୍ର, ସଞ୍ଜିତ କୁମାର ମିଶ୍ରଙ୍କ ନାମ ଚର୍ଚ୍ଚାରେ ରହିଛି। ଅଶ୍ୱିନୀ କ୍ରମାଗତ ୨ ସାଧାରଣ ନିର୍ବାଚନରେ ଏହି ଆସନରୁ ଦଳୀୟ ପ୍ରାର୍ଥୀ ହୋଇ ହାରିଥିଲେ। ଆଶ୍ୱସ୍ତିର କଥା ଦଳ ସପକ୍ଷରେ ଭୋଟ ପ୍ରତିଶତ ବଢ଼ିଥିଲା। ୨୦୧୪ ନିର୍ବାଚନରେ ସେ ୧୫.୫୬ ପ୍ରତିଶତ ଭୋଟ ପାଇଥିବାବେଳେ ୨୦୧୯ ନିର୍ବାଚନରେ ତାଙ୍କ ସପକ୍ଷରେ ଏହା ୪୧.୨୫ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଅଶ୍ୱିନୀ ପୂର୍ବରୁ ଦଳର ରାଜ୍ୟ ଉପସଭାପତି ଥିବାବେଳେ ଏବେ ଜିଲା ସଭାପତି ଅଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହିଥିବା ଦୃଷ୍ଟିରୁ ପୁଣିଥରେ ତାଙ୍କୁ ଦଳ ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ଚାଲିଛି। ଅନ୍ୟପଟେ ଦଳର ଜଣେ ଯୁବ ସଙ୍ଗଠକ ଭାବେ ଦୀର୍ଘଦିନରୁ ରହି ଆସିଥିବା ଲିପ୍‌ସିତ ମିଶ୍ରଙ୍କ ନାମ ଉଠୁଛି। ସେ ଜଣେ ଆଇନଜୀବୀ ତଥା ସାମାଜିକ କର୍ମୀ ହୋଇଥିବାବେଳେ ବିଭିନ୍ନ ଜନ ଆନ୍ଦୋଳନରେ ନେତୃତ୍ୱ ନେଇଆସିଛନ୍ତି। ଏହା ସହିତ ପଶ୍ଚିମ ଓଡ଼ିଶାରେ ରହିଥିବା ଦଳର ୩ ଟାଣୁଆ ନେତା ଜୟନାରାୟଣ ମିଶ୍ର, ସୁରେଶ ପୂଜାରୀ ଏବଂ ଜୁଏଲ ଓରାମଙ୍କ ସହିତ ତାଙ୍କର ଦୀର୍ଘଦିନର ସମ୍ପର୍କ ରହି ଆସିଥିବାରୁ ସେ ଏହି ଆସନ ପାଇଁ ଆଶାୟୀ ଅଛନ୍ତି। ଏସବୁକୁ ଦେଖିଲେ ଭାଜପାରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବାରୁ ଏଥିରେ ରୋକ୍‌ ଲଗାଇବା ପାଇଁ ଶେଷ ମୁହୂର୍ତ୍ତରେ ଦଳ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସ୍‌ଏସ୍‌)ର ପୁରୁଖା ସ୍ବୟଂ ସେବକ ଡା. ସଞ୍ଜିତ କୁମାର ମିଶ୍ରଙ୍କୁ ଟିକେଟ ଦେଇପାରେ ବୋଲି ଆଲୋଚନା ହେଉଛି। ଆର୍‌ଏସ୍‌ଏସ୍‌ ଉପର ମହଲରୁ ସମ୍ଭବତଃ ସେଭଳି କିଛି ସଙ୍କେତ ପାଇଥିବାରୁ ସଞ୍ଜିତ ଗାଁ ଗାଁ ବୁଲି ଜନସମ୍ପର୍କ ଅଭିଯାନ ଆରମ୍ଭ କରି ଦେଇଥିବା ପରିଲକ୍ଷିତ ହେଉଛି।
କଂଗ୍ରେସରେ ଆଶାୟୀଙ୍କ ତାଲିକା ଅନ୍ୟ ୨ଦଳଠାରୁ ଆହୁରି ଲମ୍ବା। ଏହି ତାଲିକାରେ ନିପନ କୁମାର ଦାଶ, ହରଦୀପ ସିଂ, ମନୋହର ପ୍ରଧାନ, ଆନନ୍ଦ ପ୍ରଧାନ ଓ ପାଣ୍ଡବ କର୍ଣ୍ଣଙ୍କ ନାମ ରହିଛି। ଏପରିକି ଦଳ ଛାଡ଼ି ବିଜେଡିରେ ଯୋଗଦେଇଥିବା ପୂର୍ବତନ ବିଧାୟକ ସାଧୁ ନେପାକ ଦଳକୁ ଫେରି ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି ଏବଂ ଉପରମହଲରୁ ଏଥିପାଇଁ ତାଙ୍କ ସହିତ ଯୋଗାଯୋଗ ଚାଲିଥିବା ସାଧାରଣରେ ଆଲୋଚନା ହେଉଛି। ନିପନ ୨୦୧୯ ନିର୍ବାଚନରେ ପ୍ରଥମଥର ପାଇଁ ଏଠାରୁ ଦଳର ପ୍ରାର୍ଥୀ ହୋଇଥିଲେ। ପରାଜୟ ସତ୍ତ୍ବେ ଦଳର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ ସେ କାର୍ଯ୍ୟ ତୁଲାଇ ଆସୁଥିବାରୁ ଦଳ ଆଉଥରେ ତାଙ୍କୁ ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ସେହିପରି ହରଦୀପ ଦଳର ଜଣେ ପୁରୁଖା ନେତା ଏବଂ ଦୀର୍ଘଦିନରୁ ଆଶାୟୀ ଥିବାବେଳେ ଦଳ ଏଥର ତାଙ୍କୁ ଏଠାରେ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଚାଲିଛି। ଅନୁରୂପ ଭାବେ ଦଳୀୟ ଟିକେଟରେ କଂଗ୍ରେସ ଏଥର ପଛୁଆବର୍ଗ(ଓବିସି)ଙ୍କୁ ଯଦି ଅଧିକ ଗୁରୁତ୍ୱ ଦେବ, ତେବେ ଏହି ଆସନରୁ ପୂର୍ବତନ ବିଧାୟକ ଯଦୁମଣି ପ୍ରଧାନଙ୍କ ୨ପୁଅ ମନୋହର କିମ୍ବା ଆନନ୍ଦଙ୍କ ମଧ୍ୟରୁ ଜଣଙ୍କୁ ଟିକେଟ ମିଳିପାରେ ବୋଲି ଅଞ୍ଚଳବାସିନ୍ଦା ଟୁପୁରଟାପର ହେଉଛନ୍ତି। ସେହିପରି ଛାତ୍ର ଜୀବନରୁ କଂଗ୍ରେସର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ ରହିଆସିଥିବା ପାଣ୍ଡବଙ୍କୁ ଏଥର ଦଳ ଏଠାରୁ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଛାଡ଼ିପାରେ ବୋଲି ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରର ଛପର ଉଡ଼ାଇ ନେଲା କାଳବୈଶାଖୀ, ବାସହରା ପରିବାର

ଆନନ୍ଦପୁର,୧୮ା୪(ସୁଶାନ୍ତ କୁମାର ସାହୁ/ବିପିନ ଦାସ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ପଣସଡିହା ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି, ପବନ...

ଭାଉଜଙ୍କ ସୁନା ଗହଣା ଚୋରି କରିବା ଦିଅରଙ୍କୁ ପଡ଼ିଲା ମହଙ୍ଗା

ଜୟପୁର,୧୮।୪ (ପବନ ପାଣିଗ୍ରାହୀ): ଭାଉଜଙ୍କ ସୁନା ଗହଣା ଚୋରି ଅଭିଯୋଗରେ ଜୟପୁର ସଦର ପୋଲିସ ଦିଅରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ...

Dream11: ଆପଣ ବି ଅନଲାଇନ ଗେମ୍‌ ଖେଳି ଜିତିପାରିବେ ୩କୋଟି ଟଙ୍କା ଆଉ ମହିନ୍ଦ୍ରା ଥାର୍‌, ଜାଣନ୍ତୁ ଟ୍ରିକ୍‌

ଆଜିର ଡିଜିଟାଲ ଯୁଗରେ ଅନଲାଇନ ଫ୍ୟାନ୍ଟାସି ସ୍ପୋର୍ଟସ ଗେମ ଭାରତରେ ବେଶ ଲୋକପ୍ରିୟ ହୋଇଛି। ତେବେ Dream11 ଡ୍ରିମ ୧୧ ହେଉଛି ଏକ ଏପରି ପ୍ଲାଟଫର୍ମ,...

Tahawwur Rana: ପ୍ରଥମେ ମାଗିଲେ ପେନ-ପେପର-କୁରାନ, ଏବେ ଡିମାଣ୍ଡ କରୁଛନ୍ତି ନନଭେଜ…

ନୂଆଦିଲ୍ଲୀ,୧୮।୪: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣାକୁ NIA ନିରନ୍ତର ପଚରାଉଚରା କରୁଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତହଉର ରାଣା ତାଙ୍କ...

ବଦଳିଲା ସରକାରୀ ମହାବିଦ୍ୟାଳୟର ନାମ

କୋରାପୁଟ,୧୮ା୪(ଅମିତାଭ ବେହେରା): କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ସରକାରୀ ମହାବିଦ୍ୟାଳୟର ପୁଣିଥରେ ନାଁ ବଦଳିଛି। ଗତ ୧୬ ତାରିଖରେ ଏହାକୁ ରାଜ୍ୟ ସରକାର ବିଜ୍ଞପ୍ତି ମାଧ୍ୟମରେ ସରକାରୀ ଡିଏଭି...

ସମ୍ବଲପୁର ସିଆର୍‌ପିଏଫ୍‌ ଗୋଷ୍ଠୀ କେନ୍ଦ୍ର ସର୍ବଶ୍ରେଷ୍ଠ ବିବେଚିତ

ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ଭାରତର ସର୍ବବୃହତ ସାମରିକ ବାହିନୀ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ଜନ୍ମଭୂମି ମଧ୍ୟପ୍ରଦେଶର ନିମଚରେ ଗୁରୁବାର ଆୟୋଜିତ ୮୬ତମ ସ୍ଥାପନା ଦିବସ ପରେଡରେ...

ଚୈତ୍ର ମହୋତ୍ସବ ଝାମୁଯାତ୍ରା ସମ୍ପନ୍ନ

ରିଷିଡ଼ା,୧୮ା୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟଚଣ୍ଡୀ ଶୈବ ଶକ୍ତି ପୀଠରେ ଚାଲିଥିବା ଚୈତ୍ର ମହୋତ୍ସବର ସପ୍ତମ ଦିବସରେ ଝାମୁଯାତ୍ରା...

ୟୁଜିସି ନେଟ୍‌ ପରୀକ୍ଷା ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ ଫର୍ମ ପୂରଣ କରିବାର ଶେଷ ତାରିଖ

ଭୁବନେଶ୍ୱର,୧୮ା୪: ୟୁଜିସି-ନେଟ୍‌ ଜାତୀୟ ଯୋଗ୍ୟତା ପରୀକ୍ଷା ୨୦୨୫ର ଜୁନ୍‌ ସେସନ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ଯୋଗ୍ୟ ଛାତ୍ରୀଛାତ୍ର ଏନେଇ ସରକାରୀ ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଆବେଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image