ଆମର ସବୁଜ ପୃଥିବୀ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପୃଥିବୀ ସାମ୍ନା କରୁଥିବା ସମସ୍ତ ସଙ୍କଟ ମଧ୍ୟରୁ ଅଧିକାଂଶ ମନୁଷ୍ୟ କୃତ। ଜନସଂଖ୍ୟା ବୃଦ୍ଧି, ଦ୍ରୁତ ଶିଳ୍ପାୟନ, ବିଶ୍ୱ ତାପନ ଆଦି ଜୀବନ୍ତ ପୃଥିବୀ ପାଇଁ ଆହ୍ବାନ ସୃଷ୍ଟି କରିଛି। ଆଧୁନିକତାର ବଶବର୍ତ୍ତୀ ହୋଇ କେତେକ ଦେଶ ନିଜନିଜ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଆଣବିକ ଅସ୍ତ୍ରଶସ୍ତ୍ର ବିକଶିତ କରିବା ଜାରି ରଖିଛନ୍ତି। ଅସ୍ତ୍ରଶସ୍ତ୍ର ବିକଶିତ କରିବା ତୁଳନାରେ ଏସବୁର ପରୀକ୍ଷଣ ପୃଥିବୀ ଲାଗି ବିପଦ ସୃଷ୍ଟି କରୁଛି। ୧୯୪୫ ରୁ ୧୯୯୬ ମଧ୍ୟରେ ସମଗ୍ର ପୃଥିବୀରେ ୨ ହଜାରରୁ ଅଧିକ ଆଣବିକ ପରୀକ୍ଷଣ କରାଯାଇଛି। ଆଣବିକ ପରୀକ୍ଷଣ ବିରୋଧରେ ଅନ୍ତର୍ଜାତୀୟ ଦିବସ ପାଳନ ନେଇ ସ୍ବୀକୃତି ପରେ ଏଥିରେ ସୁଧାର ଆସିଛି।
ସୃଷ୍ଟି ପାଇଁ ୧୯୯୧ ଅଗଷ୍ଟ ୨୯ରେ କାଜାଖସ୍ତାନର ସେମିପାଲାଟିନ୍ସ ଆଣବିକ ପରୀକ୍ଷଣ ସ୍ଥାନକୁ ବନ୍ଦ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୦୯ ଡିସେମ୍ବର ୨ରେ ଜାତିସଂଘ ସାଧାରଣ ସଭାର ୬୪ ତମ ଅଧିବେଶନରେ ଆଣବିକ ନିରସ୍ତ୍ରୀକରଣ ନିମନ୍ତେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ସର୍ବସମ୍ମତି କ୍ରମେ ଏହା ଗ୍ରହଣ ହୋଇଥିଲା। ତେଣୁ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅଗଷ୍ଟ ୨୯କୁ ପରମାଣୁ ପରୀକ୍ଷଣ ନିରୋଧୀ ଦିବସ ଭାବେ ପାଳନ କରାଯାଉଛି। ୨୦୧୦ ରେ ଆଣବିକ ଅସ୍ତ୍ର ବିକଶିତ ନ କରିବା ଲାଗି ଉଦ୍ଦିଷ୍ଟ ଥିବା ଚୁକ୍ତିରେ ସମସ୍ତ ଦେଶ ଆଣବିକ ଅସ୍ତ୍ର ବିନା ବିଶ୍ୱର ଶାନ୍ତି ଏବଂ ନିରାପତ୍ତା ହାସଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିବର୍ଷ ଏହି ଦିବସ ପାଳନ ଅବସରରେ ଭବିଷ୍ୟତ ବଂଶଧରଙ୍କ ପାଇଁ କିଭଳି ପୃଥିବୀକୁ ଜୀବିତ ରଖିବା ଅପରିହାର୍ଯ୍ୟ ସେ ନେଇ ସଚେତନତା ସୃଷ୍ଟି କରାଯାଇଥାଏ। ଏହା ସହିତ ଅଦୂରଦର୍ଶୀ ମନୋଭାବକୁ ଦୂର କରାଯିବା ଲାଗି ଉଦ୍ୟମ ମଧ୍ୟ ହୋଇଥାଏ।
ପରୀକ୍ଷଣ କରି ଏବେ ସବୁ ଦେଶ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଏହା ପୃଥିବୀ ପ୍ରତି କେତେ ଯେ ବିପଦପୂର୍ଣ୍ଣ ତାହା କେହି ବି ଚିନ୍ତା କରୁନାହାନ୍ତି। ପ୍ରଥମେ ୧୬ ଜୁଲାଇ ୧୯୪୫ରେ ଆଣବିକ ପରୀକ୍ଷଣ କରାଯାଇଥିଲା। ଆମେରିକା ଦ୍ୱାରା ନ୍ୟୁ ମେକ୍ସିକୋର ଆଲାମୋଗୋର୍ଡୋର ମରୁଭୂମିରେ ପରମାଣୁ ବୋମା ପରୀକ୍ଷା କରାଯାଇଥିଲା। ଆଣବିକ ପରୀକ୍ଷଣକୁ ରୋକିବା ପାଇଁ ୧୯୬୬ରେ ନ୍ୟୁକ୍ଲିୟର ଟେଷ୍ଟ ବ୍ୟାନ ଟ୍ରିଟି (ସିଟିବିଟି)ରେ ବିଶ୍ୱର ବହୁ ଦେଶ ସ୍ବାକ୍ଷର କରିଥିଲେ। ଏହି ଦିବସ ପାଳନ ଅବସରରେ ବିଶ୍ୱ ବ୍ୟାପୀ ସବୁଜ ଜୀବନ୍ତ ପୃଥିବୀକୁ ବଞ୍ଚାଇ ରଖିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥାଏ।