ନିର୍ବାଚନରେ ମିଥ୍ୟା ସତ୍ୟ ପାଠ ଦେବା ପଡ଼ିଲା ମହଙ୍ଗା: ୱାର୍ଡ ସଭ୍ୟାଙ୍କୁ ଅଯୋଗ୍ୟ ଘୋଷଣା କଲେ ଜିଲାପାଳ

ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ମାଲଗାଁ ପଞ୍ଚାୟତ ୱାର୍ଡ ନଂ-୧୩ର ୱାର୍ଡସଭ୍ୟା ମମତା ମହାନ୍ତି ମିଥ୍ୟା ସତ୍ୟପାଠ ଦେବା ମହଙ୍ଗା ପଡିଛି। ଏହି ଅଭିଯୋଗରେ ଜିଲାପାଳ ପି.ଅନ୍ବେଷା ରେଡ୍ଡୀ ଅଯୋଗ୍ୟ ଘୋଷଣା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ମାଲଗାଁ ପଞ୍ଚାୟତର ୱାର୍ଡ ନଂ-୧୩ରେ ସିଙ୍ଗଝରନ ଗ୍ରାମର ମମତା ମହାନ୍ତି ୱାର୍ଡସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ୧୯୯୫ ଏପ୍ରିଲ ୨୧ ତାରିଖ ସୁଦ୍ଧା ସରକାରଙ୍କ ନିୟମ ଅନୁଯାୟୀ ୨ରୁ ଅଧିକ ସନ୍ତାନ ଥିବା ଦର୍ଶାଇ ସିଙ୍ଗଝରନର କେଶରୀ ଦୁର୍ଗା ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ବୋର୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ରିପୋର୍ଟ ଅନୁଯାୟୀ ମମତାଙ୍କ ୩ଟି ସନ୍ତାନ ଥିବା ଜଣାପଡ଼ିଛି। ୨ରୁ ଅଧିକ ସନ୍ତାନ ଥିବାରୁ ଜିଲାପାଳ ମମତାଙ୍କୁ ମାଲଗାଁ ପଞ୍ଚାୟତର ୱାର୍ଡ ନଂ-୧୩ର ୱାର୍ଡସଭ୍ୟା ପଦବିକୁ ଅଯୋଗ୍ୟ ଘୋଷଣା କରିଛନ୍ତି। ମିଥ୍ୟା ସତ୍ୟପାଠ କରି ଅଯୋଗ୍ୟ ଘୋଷିତ ହେଲେ ୬ ମାସ ଜେଲ ପ୍ରାବଧାନ ଥିଲେ ମଧ୍ୟ ଏଭଳି ମିଥ୍ୟା ସତ୍ୟପାଠ ବିଭିନ୍ନ ସ୍ଥାନରେ ଦାଖଲ ହେଉଥିବା ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।

Share