ବିନା ଅନୁମତିରେ ଜିଲାପାଳଙ୍କୁ ଭେଟିବା ପଡ଼ିଲା ମହଙ୍ଗା

ଛତ୍ରପୁର,୧୯।୯(ସନ୍ତୋଷ ପାଢ଼ୀ): ବିନା ଅନୁମତିରେ ଗଞ୍ଜାମ ଜ଼ିପାଳଙ୍କୁ ଭେଟି ସ୍ମାରକପତ୍ର ଦେବା ପଡ଼ିଲା ମହଙ୍ଗା । ଏ ନେଇ ଛତ୍ରପୁର ବ୍ଲକ୍‌ର ୬ ଜଣ ଶିକ୍ଷକଙ୍କ ବିରୋଧରେ ଛତ୍ରପୁର ବିଇଓ ସୀତାରାମ ପାତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କର ଉକ୍ତ ଗୋଟିଏ ଦିନର ଦରମା ବନ୍ଦ କରାଯାଇଛି। ଏଥିସହ ଏହାର ତଦନ୍ତ ଜାରି ରହିଛି କାଳିପଲ୍ଲୀ ୟୁପି ସ୍କୁଲ, ଆର୍ଯ୍ୟପଲ୍ଲୀ ୟୁପି ସ୍କୁଲ, କରାପଲ୍ଲୀ ୟୁପିଏସ/ୟୁଜିଏଚଏସ, ଏନ.ନୂଆଗାଁ ଓ ଯଜ୍ଞଶାଳା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏହି ଚିଠି ହୋଇଛି। ମିଳିଥିବା ସୂଚନା ଅନୁସାରେ ଗତ ମାସ ୧୧ ତାରିଖରେ ଗଞ୍ଜାମ ଜିଲା ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ ନେଇ ୬ ଜଣ ଶିକ୍ଷକ ମୁଖ୍ୟମନ୍ତ୍ରୀଙ୍କ
ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଉପରୋକ୍ତ ୬ ଶିକ୍ଷକ ନିଜ କାର୍ଯ୍ୟରେ ଅନୁପସ୍ଥିତ ରହି, କୌଣସି ପ୍ରକାରେ ଅନୁମତି ନ ନେଇ ଛୁଟିରେ ରହିଥିବା ହେତୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି।