ବିନା ପଞ୍ଜୀକରଣରେ ଟିକାକେନ୍ଦ୍ରକୁ ଯିବା ମନା

ଭୁବନେଶ୍ୱର,୩।୫(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ପାଇଁ ପୂର୍ବରୁ ୪୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକା ଦିଆଯାଉଥିବା ବେଳେ, ସୋମବାର ଭୁବନେଶ୍ୱରରେ ୧୮ରୁ ୪୪ବର୍ଷ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହୋଇଛି। ହେଲେ କିଛି ସ୍ଥାନରେ ଲୋକେ ବିନା ପଞ୍ଜିକରଣରେ ଟିକାକେନ୍ଦ୍ରକୁ ଆସି ଅଯଥା ଗହଳି କରୁଥିବା ଦେଖାଯାଇଥିଲା। ବିଶେଷ କରି ଅପରାହ୍ନରେ ଏଭଳି ସମସ୍ୟା ଦେଖା ଦେଇଥିଲା। ଏନେଇ ବିନା ପଞ୍ଜିକରଣରେ କୌଣସି ଟିକା କେନ୍ଦ୍ରକୁ ନ ଯିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ପରାମର୍ଶ ଦେଇଛନ୍ତି। ସୋମବାର ମହାନଗରରେ ୧୧ହଜାର ୫ଶହ ଲୋକଙ୍କୁ ଟିକାକରଣ ନେଇ ଲକ୍ଷ୍ୟ ରଖାଯାଇଥିଲା। ସେଥିରୁ ୬ହଜାର ୭ଶହ ୧୮ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି। ବର୍ତ୍ତମାନ ୨୬ଟି କେନ୍ଦ୍ରରେ ଟିକାକରଣ ପାଇଁ ବ୍ୟବସ୍ଥା ରହିଛି। ଭିଡ କମାଇବା ପାଇଁ ଆଗାମୀ ଦିନରେ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି।

Share