ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଛାତ୍ରୀଛାତ୍ର ଦକ୍ଷ ହେବା ନିହାତି ଆବଶ୍ୟକ

ଭବାନୀପାଟଣା,୨୯ା୮ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ମହାବିଦ୍ୟାଳୟରେ ବିବିଏ, ବିସିଏ ବିଭାଗର ଛାତ୍ରୀଛାତ୍ରଙ୍କ ପାଇଁ ଚାଲିଥିବା ଦୁଇଦିନିଆ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମସିନ ଲର୍ନିଂ ସମ୍ବନ୍ଧୀୟ କର୍ମଶାଳା ବୁଧବାର ଉଦ୍‌ଯାପିତ ହୋଇଛି। ଦିଲ୍ଲୀ ଇନ୍ନୋଭିଆନ୍ସ ଟେକ୍ନୋଲୋଜିସ ଓ ଟେକ୍‌ନେସ, ଆଇଆଇଟି ବନାରସର ମିଳିତ ଉଦ୍ୟମରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନରେ ଅତିଥି ଭାବେ ଭିଜିଆଇ ଭବାନୀପାଟଣା ନିର୍ଦ୍ଦେଶକ ଡି. ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି. ରାମ କୁମାର, ଏକାଡ଼େମିକ ଇନ୍‌ଚାର୍ଜ ଡି. ବିଜୟା, ପରିଚାଳନା କମିଟି ସଦସ୍ୟା ଡି. ପଦ୍ମିନୀ, ବିବିଏ, ବିସିଏ ବିଭାଗର ଅଧ୍ୟକ୍ଷ ଡ଼. ସୁଦୀପ୍ତ କୁମାର ଜେନା, ବିଜ୍ଞାନ ବିଭାଗର ଅଧ୍ୟକ୍ଷ ଡ଼. ଆଦିତ୍ୟ ପଟ୍ଟନାୟକ, ବିଏସ୍‌ସି ନର୍ସିଂ ବିଭାଗର ଅଧ୍ୟକ୍ଷା କେ. ଜୟଶ୍ରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଏଥିରେ ଆଇଆଇଟି ବନାରସର କ୍ରିଷ୍ଣା ମୋହନ ପାଣ୍ଡେ (କର୍ପୋରେଟ ଲିଡ଼ ଟ୍ରେନି) ଛାତ୍ରୀଛାତ୍ରଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମସିନ ଲର୍ନିଂ ଓ ତାହାକୁ ବ୍ୟବହାର ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ। ଦ୍ୱିତୀୟ ଦିବସରେ ଛାତ୍ରୀଛାତ୍ରଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମସିନ ଲର୍ନିଂ ସଫ୍ଟୱେର ପ୍ୟାକେଜ ବ୍ୟବହାର କରିବା ଉପରେ ଶିକ୍ଷା ପ୍ରଦାନ କରାଯାଇଥିଲା। କର୍ମଶାଳାରେ ଭାଗ ନେଇଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ବିସିଏ ବିଭାଗର ଅଧ୍ୟାପକ କୁମାର ମନ୍ଥନ ସାହୁ, ଅଧ୍ୟାପିକା ପୂଜା ରାଣୀ ନାୟକ, ଜ୍ୟୋତି ପଣ୍ଡା ଗୁରୁ ଦାୟିତ୍ୱ ତୁଲାଇଥିଲେ।

Share