ଭୟଭୀତ ନହୋଇ ସତର୍କ ରହିବା ଜରୁରୀ…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ୍‌)ର ନିର୍ଦ୍ଦେଶକ ଡାକ୍ତର ରଣଦୀପ୍‌ ଗୁଲେରିଆ କହିଛନ୍ତି ଯେ, ସଂକ୍ରମଣକୁ ଡରିବାର କୌଣସି କାରଣ ନାହିଁ। ଭୟ ନ କରି ସତର୍କ ରହିବା ଆବଶ୍ୟକ ବୋଲି ସେ ଚେତାବନୀ ଦେଇଛନ୍ତି। ଗୁଲେରିଆ ତାଙ୍କ ନୂତନ ବର୍ଷର ବାର୍ତ୍ତାରେ ଏଭଳି କହିଛନ୍ତି।

ଏମ୍ସ୍‌ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓ ବାର୍ତ୍ତାରେ ଗୁଲେରିଆ କହିଛନ୍ତି ଯେ ମୁଁ ଏହି ଅବସରରେ ଦେଶର ସମସ୍ତ ଲୋକଙ୍କର ସୁଖ, ସୁସ୍ବାସ୍ଥ୍ୟ ଏବଂ ସମୃଦ୍ଧି କାମନା କରୁଛି। ସେ କହିଛନ୍ତି ଯେ ଆମକୁ ଆଗକୁ ଯିବାକୁ ପଡ଼ିବ। ଆମେ ବୁଝିବା ଆବଶ୍ୟକ ଯେ, କରୋନା ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ। କରୋନା ସହ ବଞ୍ଚିବାକୁ ପଡ଼ିବ। ଯଦିଓ ଭଲ କଥା ହେଉଛି ଯେ ଆମେ ବର୍ତ୍ତମାନ ସୁରକ୍ଷିତ ସ୍ଥିତିରେ ଅଛୁ।

ଡାକ୍ତର ଗୁଲେରିଆ କହିଛନ୍ତି ଯେ ବହୁ ଲୋକ ଟିକା ନେଇସାରିଛନ୍ତି। ମାତ୍ର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ତେଣୁ, ମାସ୍କ ପିନ୍ଧିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ଯେ ବର୍ତ୍ତମାନ ସୁରକ୍ଷିତ ଦୂରତା ବଜାୟ ରଖିବା କରୋନାକୁ ଏଡାଇବା ପାଇଁ ଏକମାତ୍ର ଏବଂ ପ୍ରଭାବଶାଳୀ ଉପାୟ। କରୋନାର ଓମିକ୍ରନ୍‌ ଭାରିଆଣ୍ଟ୍‌ ଏକ ସୁପର ସ୍ପ୍ରେଡର୍‌। ତେଣୁ ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ଦୂରରେ ରହିବା ସହିତ କରୋନା ମାର୍ଗଦଶିକା ପାଳନ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି।

 

Share