ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଅମାନବୀୟ: ଭାଜପା

ଭୁବନେଶ୍ୱର,୨୭ା୬(ଅନିଲ ଦାସ)ପୋଲିସର ନାଲିଆଖି ଦେଖାଇ ଗଣମାଧ୍ୟମ ସଂସ୍ଥା ଓ ସାମ୍ବାଦିକଙ୍କ କଣ୍ଠରୋଧ କରିବା ହେଉଛି ବିଜେଡିର ଚିରାଚରିତ ଅଭ୍ୟାସ। ଗଣମାଧ୍ୟମ ସଂସ୍ଥା ଓ ତାଙ୍କ କର୍ମଚାରୀଙ୍କ ଉପରେ ଆକ୍ରମଣ, ଧମକ ଦେବା ଭଳି ବିଜେଡିର ଅଗଣତାନ୍ତ୍ରିକ ଉଦାହରଣ ରହିଛି। ମଙ୍ଗଳବାର ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କ ଉପରେ ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ରଘୁନନ୍ଦନ ଦାସ ନିଜ ସରକାରୀ ବାସଭବନରେ କୁକୁର ଛାଡି ଭୟଭୀତ କରିଛନ୍ତି। ଏହା ତାଙ୍କ ହୀନ ମାନସିକତାର ପରିଚୟ ଦେଇଛି। ଏଭଳି ଅମାନବୀୟ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ଭାଜପା ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ନୀରବ ନିର୍ଦ୍ଦେଶ’ରେ ଗଣମାଧ୍ୟମ ସଂସ୍ଥା, କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆଗରୁ ଅନେକ ଥର ଆକ୍ରମଣ ହୋଇଛି। ଗତକାଲିର ଅମାନବୀୟ ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ନବୀନ ଚୁପ୍‌ ବସିଥିବାରୁ ଏହି ଘଟଣା ତାଙ୍କ ଇଙ୍ଗିତରେ ହୋଇଥିବା ସ୍ପଷ୍ଟ ହୋଇଛି। ତାଙ୍କ ଦଳର ଜଣେ ବରିଷ୍ଠ ନେତାଙ୍କ ଏଭଳି କାର୍ଯ୍ୟକଳାପ ସମ୍ପର୍କରେ ସେ ମୁହଁ ଖୋଲନ୍ତୁ। ‘ଔଷଧ ରାଗରେ ତାଟିଆ କାମୁଡ଼ିବା’ ଭଳି ନିର୍ବାଚନ ହାରିବା ପରେ ବିଜେଡି ନେତାମାନେ ଏବେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଅତୀତରେ ନବୀନ ସରକାର ସମୟରେ ଅନେକ ଗଣମାଧ୍ୟମ ସଂସ୍ଥା ଏବଂ କାର୍ଯ୍ୟରତ ଖବରଦାତାମାନେ ଆକ୍ରୋଶର ଶିକାର ହୋଇଛନ୍ତି। ଏପରି କି ଲୋକସେବା ଭବନ ଓ ବିଧାନସଭା ଯିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ ା

ଦଉଡ଼ି ବାନ୍ଧି ଖବରଦାତାମାନଙ୍କୁ ଅପମାନିତ କରିବାକୁ ପଛାଇ ନ ଥିଲେ ା ନିର୍ବାଚନ ହାରିବା ପରେ ବି ଗଣମାଧ୍ୟମ ଓ ଖବରଦାତାଙ୍କୁ ଅପମାନିତ କରିବାର ମାନସିକତା ଓ ଅହଂକାର ଆଜି ବି ନବୀନ ବାବୁ ଓ ତାଙ୍କ ଦଳର ନେତାଙ୍କର ରହିଛି ବୋଲି ଦିଲୀପ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଭାଜପା ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍‌ ଦାସ ଉପସ୍ଥିତ ଥିଲେ।

Share