ନୂଆଦିଲ୍ଲୀ,୭।୪: ଦେଶରେ କରୋନାର ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ରାଜଧାନୀ ଦିଲ୍ଲୀର ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପ୍ରଶାସନ ପକ୍ଷରୁ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କଡ଼ାକଡ଼ି କରାଯାଇଛି। କାର୍ରେ ଏକା ଥିଲେ ମଧ୍ୟ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ ବୋଲି ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏକ ମାମଲାର ବିଚାର କରି କୋର୍ଟ ଏଭଳି କହିଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଘୋଷଣା କରି ସାରିଛନ୍ତି। ୭ ଘଣ୍ଟିଆ କର୍ଫ୍ୟୁ ରାତ୍ରେ ୧୦ରୁ ଭୋର୍ ୫ଟା ପର୍ଯ୍ୟନ୍ତ ଲାଗୁ ହୋଇଛି।