ନୂଆଦିଲ୍ଲୀ,୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏନେଇ ୟୁକ୍ରେନରେ ଅଧ୍ୟୟନ କରୁଥିବା ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ କିଭଳି ଏୟାର ଲିଫ୍ଟ କରାଯିବ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପରିସ୍ଥିତି ଉପରେ ଭାରତ ସରକାର ନିରନ୍ତର ନଜର ରଖିଛନ୍ତି। ଅଧିକାଂଶ ଭାରତୀୟ ଛାତ୍ରୀଛାତ୍ର ୟୁକ୍ରେନ୍ରେ ମେଡିସିନ ଏବଂ ଇଞ୍ଜିନିୟରିଂ ପଢୁଛନ୍ତି। ଏଭଳି ପରିସ୍ଥିତିରେ ଭାରତ ସେଠାରେ ରହୁଥିବା ନାଗରିକମାନଙ୍କୁ କ୍ୱିଭ୍ରେ ଥିବା ଭାରତୀୟ ଦୂତାବାସରେ ପଞ୍ଜିକୃତ କରିବାକୁ କହିଛି, ଯାହାଫଳରେ ଆବଶ୍ୟକ ହେଲେ ସେମାନଙ୍କୁ ଶୀଘ୍ର ସାହାଯ୍ୟ କରାଯାଇପାରିବ।
ଏଠାରେ ହୁଏତ କେତେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ ଯେ ୟୁକ୍ରେନରେ ଅସ୍ଥିରତା ସତ୍ତ୍ୱେ ମଧ୍ୟ ବହୁ ସଂଖ୍ୟକ ଭାରତୀୟ ଛାତ୍ରୀଛାତ୍ର ସେଠାକୁ ଯାଆନ୍ତି କାହିଁକି? ଏବେ ମଧ୍ୟ ଭାରତ ଭଳି ଦେଶରେ ଏମ୍ବିବିଏସ୍ ଡିଗ୍ରୀ ଭଲ ରୋଜଗାରର ଗ୍ୟାରେଣ୍ଟି ପ୍ରଦାନ କରିଥାଏ। ଭାରତରେ ୬୦୦ ମେଡ଼ିକାର କଲେଜରେ କେବଳ ୧.୫ ଲକ୍ଷ ଏମ୍ବିବିଏସ୍ ସିଟ୍ ଅଛି।
୨୦୨୧ ରେ ମେଡିକାଲ ପ୍ରବେଶିକା ପରୀକ୍ଷା, ଏନ୍ଇଇଟି ରେ ୧୬ ଲକ୍ଷରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ତେଣୁ ଭାରତରେ ୧୪.୫ ଲକ୍ଷରୁ ଅଧିକ ଛାତ୍ରୀଛାତ୍ରଙ୍କ ଡାକ୍ତର ହେବାର ସ୍ବପ୍ନ ପୂରଣ ହୋଇ ପାରି ନଥିଲା। ପ୍ରତିବର୍ଷ ଏଭଳି ବହୁ ଛାତ୍ରୀଛାତ୍ର ମେଡ଼ିକାଲ ପଢ଼ିବାରୁ ବଞ୍ଚିତ ହୋଇଥାନ୍ତି। ଡାକ୍ତର ହେବାର ସ୍ବପ୍ନକୁ ସାକାର କରିବା ପାଇଁ ପ୍ରତିବର୍ଷ ହଜାର ହଜାର ଭାରତୀୟ ଛାତ୍ରୀଛାତ୍ର ୟୁକ୍ରେନ ଏବଂ ଅନ୍ୟ ଦେଶକୁ ପାଠ ପଢ଼ିବାକୁ ଯାଇଥାନ୍ତି। ଏହାର ଅନ୍ୟ ଏକ କାରଣ ହେଉଛି ଭାରତରେ ଘରୋଇ ମେଡିକାଲ କଲେଜଗୁଡ଼ିକରେ ଡାକ୍ତରୀ ଶିକ୍ଷାର ମୂଲ୍ୟ ମଧ୍ୟ ବହୁତ ମହଙ୍ଗା। ଦେଶର ଏକ ଘରୋଇ ମେଡିକାଲ କଲେଜରେ ପଢ଼ିିବା ପାଇଁ ପ୍ରାୟ ଏକ କୋଟି ଟଙ୍କାର ଖର୍ଚ୍ଚ ହୋଇଥାଏ। ତେବେ ୟୁକ୍ରେନ ପରି ଦେଶରେ ଡାକ୍ତରୀ ଶିକ୍ଷା ମାତ୍ର ୨୫ ଲକ୍ଷ ଟଙ୍କାରେ ହୋଇ ପାରିଥାଏ।
ଏହି କାରଣରୁ ବହୁ ଛାତ୍ରୀଛାତ୍ର ୟୁକ୍ରେନ ଏବଂ ଅନ୍ୟ ଦେଶକୁ ଡାକ୍ତରୀ ପଢ଼ିବା ହେବା ପାଇଁ ଯାଇଥାନ୍ତି। ମେଡିକାଲ ଏବଂ ଇଞ୍ଜିନିୟରିଂ ପରି କ୍ଷେତ୍ରରେ ଶସ୍ତା ଅଧ୍ୟୟନ ଖର୍ଚ୍ଚ ଯୋଗୁ ଭାରତୀୟ ଛାତ୍ରୀଛାତ୍ରମାନଙ୍କ ପାଇଁ ୟୁକ୍ରେନ ଏବଂ ଅନ୍ୟ ଦେଶକୁ ଯିବା ଏକ ପ୍ରମୁଖ କାରଣ। ଏହା ସହିତ ଭାରତୀୟ ଛାତ୍ରୀଛାତ୍ରମାନେ ଚାଇନା, ରୁଷିଆ ଏବଂ ନେପାଳକୁ ମଧ୍ୟ ମେଡ଼ିକାଲ ପଢ଼ିବାକୁ ପସନ୍ଦ କରିଥାନ୍ତି।
ଆମେରିକାରେ ଡାକ୍ତରୀ ଶିକ୍ଷା ଖର୍ଚ୍ଚ ପ୍ରାୟ ସାତରୁ ଆଠ କୋଟି ଟଙ୍କା। ସେହିପରି ବ୍ରିଟେନ୍,ନ୍ୟୁଜିଲାଣ୍ଡ୍, କାନାଡ଼ା ଏବଂ ଅଷ୍ଟ୍ରେଲିଆରେ ଏହା ୪ କୋଟି ଟଙ୍କା ରହିଛି। ଅପରପକ୍ଷରେ ରୁଷିଆ, ୟୁକ୍ରେନ, ନେପାଳ, ଚାଇନା, ଫିଲିପାଇନ୍ସ ଏବଂ ବାଂଲାଦେଶରେ ଅଧ୍ୟୟନ ଖର୍ଚ୍ଚ ଏହାର ପ୍ରାୟ ଏକ ଚତୁର୍ଥାଂଶ।
ୟୁକ୍ରେନ ପରି ଦେଶରୁ ଡାକ୍ତରୀ ଅଧ୍ୟୟନ କରିବା ପରେ ଫେରୁଥିବା ଛାତ୍ରୀଛାତ୍ରମାନଙ୍କ ପାଇଁ ତୁରନ୍ତ ଭାରତରେ ଅଭ୍ୟାସ କରିବା କଷ୍ଟକର। ବିଦେଶରେ ଡାକ୍ତରୀ ଅଧ୍ୟୟନ ସମାପ୍ତ କରିବା ପରେ ଭାରତକୁ ଫେରୁଥିବା ମେଡିକାଲ ଛାତ୍ରମାନଙ୍କୁ ବିଦେଶୀ ମେଡିକାଲ ଗ୍ରାଜୁଏଟ୍ସ ପରୀକ୍ଷା (ଏଫ୍ଏମ୍ଜିଇ) ଦେବାକୁ ପଡ଼ିଥାଏ। ଏହା ଅତ୍ୟନ୍ତ କଠିନ ପରୀକ୍ଷା ଏବଂ ଏହାକୁ ପାଶ କରିବା ସହଜ ନୁହେଁ ।
ଏଥିପାଇଁ ଅନେକ ଛାତ୍ର କୋଚିଂ ମଧ୍ୟ ନିଅନ୍ତି, କାରଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ନହୋଇ ସେମାନେ ଭାରତରେ ଚିକିତ୍ସା ଅଭ୍ୟାସ କରିପାରିବେ ନାହିଁ। ଏପରିକି ସେମାନେ ଲାଇସେନ୍ସ ପାଇବେ ନାହିଁ। ପରିସଂଖ୍ୟାନ ଏହା ମଧ୍ୟ ଦର୍ଶାଏ ଯେ ବିଦେଶରୁ ଆସୁଥିବା କେବଳ ୧୫ ପ୍ରତିଶତ ଛାତ୍ରୀଛାତ୍ର ଏଫଏମଜିଇ ପରୀକ୍ଷା କ୍ଲିୟର କରିବାକୁ ସକ୍ଷମ ହୋଇଥାନ୍ତି। ଅପରପକ୍ଷରେ ୭୫ ପ୍ରତିଶତ ଅସଫଳ ହୋଇଥାନ୍ତି। ଏହି ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ ନ୍ୟୁନତମ ୫୦ ପ୍ରତିଶତ ନମ୍ବର ରଖିବାକୁ ପଡ଼ିଥାଏ। ପାଶ୍ କରିଥିବା ଛାତ୍ରୀଛାତ୍ରଙ୍କୁ ଭାରତୀ ମେଡ଼ିକାଲ ପରିଷଦ ପକ୍ଷରୁ ସ୍ଥାୟୀ ପଞ୍ଜିକରଣ ପ୍ରଦାନ କରାଯାଇଥାଏ।
ତେବେ ଅଷ୍ଟ୍ରେଲିଆ, କାନାଡ଼ା, ନ୍ୟୁଜିଲାଣ୍ଡ, ବ୍ରିଟେନ୍ ଏବଂ ଆମେରିକାରେ ମେଡ଼ିକାଲ ପାଠ ପଢ଼ିଥିବା ଛାତ୍ରୀଛାତ୍ରଙ୍କୁ ଏଫ୍ଏମ୍ଜିଇ ପରୀକ୍ଷା ଦେବାକୁ ପଡ଼ି ନଥାଏ।
ଫ୍ରାନ୍ସ୍ ଏବଂ କେନିଆରୁ ପାଠପଢ଼ି ଆସିଥିବା ଛାତ୍ରୀଛାତ୍ର ଅଧିକ ସଂଖ୍ୟାରେ ଏଫ୍ଏମ୍ଜିଇ ପରୀକ୍ଷାରେ ସଫଳତା ହାସଲ କରିଥାନ୍ତି।
ଏହି ପରୀକ୍ଷା ପ୍ରତିବର୍ଷ ଜୁନ୍ ଏବଂ ଡିସେମ୍ବରରେ ହୋଇଥାଏ। ୨୦୨୧ ଜୁନ୍ରେ ୧୮,୦୪୮ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ କେବଳ ୪,୨୮୩ ସଫଳ ହୋଇଥିବାବେଳେ ୧୨,୮୯୫ ଅସଫଳ ହୋଇଥିଲେ। ସେହିପରି ୨୦୨୧ ଡିସେମ୍ବରରେ ୨୩,୬୯୧ ଛାତ୍ରୀଛାତ୍ର ଏଫ୍ଏମ୍ଜିଇ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ କେବଳ ୫,୬୬୫ ଜଣ ସଫଳ ହୋଇଥିଲେ। ଅବଶିଷ୍ଟ ୧୭,୬୦୭ ଛାତ୍ରୀଛାତ୍ର ଅସଫଳ ହୋଇଥିଲେ।