ସମସ୍ତ ରାଜ୍ୟ ବୋର୍ଡରେ ସମାନ ମୂଲ୍ୟାଙ୍କନ ପଦ୍ଧତି ନୁହେଁ ସମ୍ଭବ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ୨୧ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ରଦ୍ଦ କରି ଦିଆଯାଇଛି। ଏନେଇ ସିବିଏସ୍‌ଇ ବୋର୍ଡ ପକ୍ଷରୁ ଆଗତ କରାଯାଇଥିବା ମୂଲ୍ୟାଙ୍କନ ସୂତ୍ରକୁ ସୁପ୍ରିମ୍‌କୋର୍ଟ ସ୍ବୀକୃତି ଦେଇ ସାରିଛନ୍ତି। ତେବେ ସମସ୍ତ ରାଜ୍ୟର ଦ୍ୱାଦଶ ବୋର୍ଡ ଦ୍ୱାରା ସମାନ ମୂଲ୍ୟାଙ୍କନ ପଦ୍ଧତି ଗ୍ରହଣ କରାଯିବା ସମ୍ଭବ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଏହା ସହିତ ସମାନ ମୂଲ୍ୟାଙ୍କନ ପଦ୍ଧତି ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଜାରି କରିବାକୁ କୋର୍ଟ ମନା କରିଦେଇଛନ୍ତି। ଏହି ମାମଲାର ବିଚାର କରି ବିଚାରପତି ଅଜୟ ମାନିକ୍‌ରାଓ ଖାନଓ୍ବିଲ୍‌କର ଏବଂ ଦିନେଶ ମହେଶ୍ୱରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ରାୟ ପ୍ରଦାନ କରିଛନ୍ତି। ସମସ୍ତ ବୋର୍ଡକୁ ନିଜ ନିଜର ମୂଲ୍ୟାଙ୍କନ ପଦ୍ଧତି ପ୍ରସ୍ତୁତ କରିବାକୁ ପଡ଼ିବ। ସମସ୍ତ ବୋର୍ଡ ଭିନ୍ନ ଭିନ୍ନ ପଦ୍ଧତି ଗ୍ରହଣ କରିବା ଲାଗି ସ୍ବତନ୍ତ୍ର ବୋଲି ଖଣ୍ଡପୀଠ କହିଛନ୍ତି। ସୂଚନାଯୋଗ୍ୟ, ଦେଶରେ ସମସ୍ତ ଦ୍ୱାଦଶ ବୋର୍ଡରେ ସମାନ ମୂଲ୍ୟାଙ୍କନ ପଦ୍ଧତି ଗ୍ରହଣ ଲାଗି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେବାକୁ ଏକ ଆବେଦନ କରାଯାଇଥିଲା। ତେବେ ଏହାକୁ କୋର୍ଟ ସମ୍ଭବ ନୁହେଁ ବୋଲି କହିଛନ୍ତି।

Share