Categories: ଜାତୀୟ

ସୁରକ୍ଷା ପାଇଁ ଲାଇସେନ୍ସ୍‌ ବନ୍ଧୁକ ରଖିବା ଆଇନଜୀବୀଙ୍କ ଲାଗି ଉଚିତ ନୁହେଁ…

ଲକ୍ଷ୍ନୌ,୧୪।୧୦: ଜଣେ ଆଇନଜୀବୀ ନିଜ ସୁରକ୍ଷା ପାଇଁ ପାଖରେ ଲାଇସେନ୍ସ୍‌ ବନ୍ଧୁକ ରଖିବାକୁ କରିଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରଛନ୍ତି। କୋର୍ଟ କହିଛନ୍ତି ଯେ, ବିନା କାରଣରେ ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ରଖିବାର ଜଣେ ଆଇନଜୀବୀଙ୍କ ଲାଗି ଠିକ ନୁହେଁ। ଏହା ତାଙ୍କ ପେଶାର ହିତ ଦୃଷ୍ଟିରୁ ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ଆଇନ ଏକ ସମ୍ମାନଜନକ ପେଶା ।

ବିଚାରପତି ସୌରଭ ଶ୍ୟାମ ଶାମଶେରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଯଦି ଜଣେ ଆଇନଜୀବୀ ତାଙ୍କ ବ୍ୟକ୍ତିଗତ ତଥା ବୃତ୍ତିଗତ ସୁରକ୍ଷା ପାଇଁ ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ଆବଶ୍ୟକ କରନ୍ତି, ତେବେ ଏହା ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହେବ।

ବନ୍ଧୁକ ଲାଇସେନ୍ସ ପାଇବା ପାଇଁ ଆଇନଜୀବୀ ରାମ ମିଲାନ ଆବେଦନ କରିଥିଲେ। ତାଙ୍କ ବ୍ୟକ୍ତିଗତ ତଥା ବୃତ୍ତିଗତ ସୁରକ୍ଷା ପାଇଁ ଆର୍ମସ ଆକ୍ଟ, ୧୯୫୯ର ଧାରା ୧୩ ଅନୁଯାୟୀ ଏକ ରିଭଲଭର ଲାଇସେନ୍ସ ଲାଗି ସେ ଆବେଦନ କରିଥିଲେ। କାରଣ ତାଙ୍କୁ ଏବଂ କିଛି ସ୍ଥାନୀୟ ଲୋକଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା। ଘରେ ପଶି ପରିବାରର ମହିଳା ସଦସ୍ୟଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରାଯାଇଥିବା ସେ ଆବେଦନରେ ଉଲ୍ଲେଖ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଏହି ମାମଲାରେ ପଞ୍ଜୀକୃତ ହୋଇଥିବା ଦୁଇଟି ଏଫଆଇଆର୍‌ ଦର୍ଶାଇଛନ୍ତି ଏବଂ ଯୁକ୍ତି ବାଢ଼଼ିଥିଲେ ଯେ ତାଙ୍କ ବୃତ୍ତି ଏବଂ ବ୍ୟକ୍ତିଗତ ତଥା ବୃତ୍ତିଗତ ସୁରକ୍ଷା ପାଇଁ ତାଙ୍କୁ ବାହାରକୁ ଲଗାତାର ଯିବାଆସିବାକୁ କରିବାକୁ ପଡିଥାଏ। ତେଣୁ ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ଆବଶ୍ୟକ ବୋଲି ସେ ଦର୍ଶାଇଥିଲେ।

ଅପରପକ୍ଷରେ, ସରକାରୀ ଆଇନଜୀବୀ ଏନେଇ ଖଣ୍ଡପୀଠଙ୍କ ସମ୍ମୁଖରେ କହିଥିଲେ ଯେ ରେକର୍ଡରେ ଏ ସମ୍ପର୍କିତ କୌଣସି ତଥ୍ୟ ନାହିଁ ଯାହା ଆବେଦନକାରୀ ଅପରାଧର ଶିକାର ହୋଇଛନ୍ତି କିମ୍ବା ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ରଖିବା ଲାଗି ତାଙ୍କର ପ୍ରକୃତ ଆବଶ୍ୟକତା ରହିଛି।

Share