ମଣିଷ ମନର କଥା ଏବେ ସହଜରେ ଜାଣିହେବ: ରହିବନି କିଛି ଲୁଚାଛପା…

ଓ୍ବାଶିଂଟନ, ୨୯।୮: ଏଣିକି ମଣିଷର ମସ୍ତିଷ୍କ ପଢ଼ିହେବ। ମଣିଷ ଯାହା ଚିନ୍ତା କରୁଛି ତାହା ଏବେ ସହଜରେ ଜାଣି ହେବ। ଏଲନ୍‌ ମସ୍କ୍‌ଙ୍କ କମ୍ପାନୀ ନ୍ୟୁରୋଲିଙ୍କ୍‌ ପକ୍ଷରୁ ଗତ କିଛି ବର୍ଷ ଧରି ଏନେଇ ନାନା ପରୀକ୍ଷା ନିରୀକ୍ଷା ଜାରି ରହିଥିଲା। ନିକଟରେ କମ୍ପାନୀକୁ ସଫଳତା ମିଳିଛି। କମ୍ପାନୀ ପକ୍ଷରୁ ଛୋଟ ମୁଦ୍ରା ଆକାରର ଏକ ଚିପ୍‌କୁ ଘୁଷୁରୀ ମସ୍ତିଷ୍କରେ ରୋପଣ କରାଯାଇଥିଲା। ଘୁଷୁରୀ କ’ଣ ଚିନ୍ତା କରୁଛି ତାହା କମ୍ପ୍ୟୁଟର ଗ୍ରାଫିକ୍ସ୍‌ ଦ୍ୱାରା ଜାଣି ହୋଇଛି। ୨ ମାସ ଧରି ଏହି ଚିପ୍‌କୁ ଗେଟର୍ଡ ନାମକ ଘୁଷୁରୀ ମସ୍ତିଷ୍କରେ ରୋପଣ କରାଯାଇଥିଲା। ଖାଇବାକୁ ଦିଆଯିବା ସମୟରେ ଗେଟର୍ଡର ମନୋଭାବ ଭିଡ଼ିଓ ଗ୍ରାଫିକ୍ସ୍‌ ଲାଇଭ୍‌ ଦେଖାଯାଇଥିଲା। ଏହାଦ୍ୱାରା ମଣିଷଠାରେ ଦେଖାଦେଉଥିବା ଅବସାଦ, ସ୍ମୃତି ଶକ୍ତି ଲୋପ, ଅନିଦ୍ରା ଆଦି ସମସ୍ୟାର ସହଜ ସମାଧାନର ପଥ ବାହାରି ପାରିବ ବୋଲି ଏଲନ୍‌ ମସ୍କ୍‌ ଓ୍ବେବସାଇଟ୍‌ରେ ସୂଚନା ଦେଇଛନ୍ତି। ଏହି ଚିପ୍‌ ମାଧ୍ୟମରେ ୟୁଜରଙ୍କ ମସ୍ତିଷ୍କରେ ସଙ୍ଗୀତ ପହଞ୍ଚାଇ ଚିକିତ୍ସା କରାଯିବ ବୋଲି କମ୍ପ୍ୟୁଟର ବିଜ୍ଞାନୀ ଆଷ୍ଟିନ୍‌ ହାଓ୍ବର୍ଡ କହିଛନ୍ତି। ମଣିଷ ମନର କଥା ଏବେ ସହଜରେ ଜାଣି ହେବ ବୋଲି ସେ କହିଛନ୍ତି।

Share