କେନ୍ଦ୍ରାପଡ଼ା ଅଫିସ,୨୪।୧୧: ଜଳ ହିଁ ଜୀବନ। ଏହାର ସଂରକ୍ଷଣ ଆବଶ୍ୟକ। ଆଗାମୀ ପିଢ଼ି ପାଇଁ ମଧୁର ଜଳ ସୁନିଶ୍ଚିତ କରିବା ଆମର ଦାୟିତ୍ୱ ବୋଲି ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ କହିଛନ୍ତି। ରାଜ୍ୟପାଳ ଡ. ଲାଲ ସହରର କାକଟସ୍ଥିତ ଶିକ୍ଷକ ଲକ୍ଷ୍ମୀପ୍ରସାଦ ଦାସଙ୍କ ଏକାଦଶାହରେ ଯୋଗଦେବା ପାଇଁ ମଙ୍ଗଳବାର କେନ୍ଦ୍ରାପଡ଼ା ଆସିଥିଲେ। ଏହି ଅବସରରେ ଜଜାଙ୍ଗସ୍ଥିତ ସର୍କିଟ ହାଉସଠାରେ ଜିଲା ପ୍ରଶାସନ ସହିତ ସ୍ଥାନୀୟ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଓଡ଼ିଶାର ଏକମାତ୍ର ଜଳ ସଙ୍କଟ ଜିଲା ଭାବେ ଚିହ୍ନଟ କରାଯାଇଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜଳ ଶକ୍ତି ସଂରକ୍ଷଣ ଅଭିଯାନରେ ଏହି ଜିଲା ସାମିଲ ହୋଇଛି। ୨୦୧୯ରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସମ୍ପର୍କରେ ଜିଲା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକଙ୍କଠାରୁ ସେ ସବିଶେଷ ବିବରଣୀ ମାଗିଥିଲେ। ଏହାକୁ ଆଖି ଆଗରେ ରଖି ରାଜ୍ୟପାଳ କହିଥିଲେ, ଆଗାମୀ ପିଢ଼ି ପାଇଁ ଜଳ ସଂରକ୍ଷଣ ଓ ସ୍ଥାନୀୟ ଜିଲାବାସୀଙ୍କୁ ଆବଶ୍ୟକ ଅନୁଯାୟୀ ପାନୀୟ ଜଳ ଯୋଗାଣ ଆବଶ୍ୟକ। ଏଥିସହିତ ମଧ୍ୟାହ୍ନ ଭୋଜନରେ ଶିଶୁମାନେ ସାମିଲ ହେବା ଓ ସ୍କୁଲରେ ଶୌଚାଳୟ ନିର୍ମାଣ ତ୍ୱରାନ୍ବିତ କରିବାକୁ ସେ ଜିଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଶିଶୁମାନେ ଦେଶର ଭବିଷ୍ୟତ। ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ଆମ ଜିଲା ଓ ରାଜ୍ୟର ସ୍ଥିତି ସମ୍ପର୍କରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ରଚନା ପ୍ରସ୍ତୁତ କରିବାକୁ ରାଜ୍ୟପାଳ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳଙ୍କୁ ଜିଲାପାଳ ଅମୃତ ଋତୁରାଜ ସ୍ବାଗତ କରିବା ସହ ଏଠାରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହି ଆଲୋଚନାରେ ଏସ୍ପି ମଡ଼କର ସନ୍ଦୀପ ସମ୍ପତ, ଏଡିଏମ୍ ପୀତାମ୍ବର ସାମଲ, ଦୁର୍ଗାପ୍ରସାଦ ମହାରଣା, ଉପଜିଲାପାଳ ନିରଞ୍ଜନ ବେହେରା ପ୍ରମୁଖ ସାମିଲ ହୋଇଥିଲେ।