କରୋନା ସଂକ୍ରମଣକୁ ରୋକିବା ସମ୍ଭବ: ମୁମ୍ବାଇର ଧରାବି ମଡ଼େଲକୁ ପ୍ରଶଂସା

ଜେନେଭା, ୧୧।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି ଯେ, କରୋନା ସଂକ୍ରମଣକୁ ରୋକିବା ସମ୍ଭବ। ଏଥିପାଇଁ ମୁମ୍ବାଇର ଧରାବି ଅଞ୍ଚଳରେ ଗ୍ରହଣ କରାଯାଇଥିବା ମଡ଼େଲକୁ ଡବ୍ଲ୍ୟୁଏଚ୍‌ଓ ପ୍ରଶଂସା କରିଛି। ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ୍‌ ଏଡନୋମ୍‌ ଗ୍ରେବେୟେସସ୍‌ ଏଡ଼େି ସୂଚନା ଦେଇଛନ୍ତି। ଧରାବିର ଜନସଂଖ୍ୟା ସାନ୍ଦ୍ରତା ଅଧିକ। ମାତ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ ଦ୍ୱାରା ଏଠାରେ କରୋନା ସଂକ୍ରମଣକୁ ନିୟନ୍ତ୍ରିତ କରାଯାଇପାରିଛି। ସେହିପରି ଇଟାଲୀ, ସ୍ପେନ୍‌, ଦକ୍ଷିଣ କୋରିଆ ଆଦି ଦେଶରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବେଶ୍‌ ଦୃଷ୍ଟାନ୍ତ ମୂଳକ ବୋଲି ସେ କହିଛନ୍ତି। ଯେଉଁ ସବୁ ସ୍ଥାନରେ ଲକ୍‌ଡାଉନ୍‌ କଟକଣା ହଟୁଛି ସେଠାରେ କରୋନା ସଂକ୍ରମଣ ବଢୁଥିବା ସେ ସୂଚନା ଦେଇଛନ୍ତିି। ଅଧିକ ଜନସଂଖ୍ୟା ସାନ୍ଦ୍ରତା ଥିବା ଅଞ୍ଚଳରେ ସଂକ୍ରମଣ ରୋକା ଗଲେ କରୋନା ନିୟନ୍ତ୍ରଣ ସମ୍ଭବ ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର କୋଟି, ୨୬ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୫୯ ହଜାର ଟପିଛି।

Share