Advertisement

ରୋଗ ପ୍ରତିରୋଧ ପାଇଁ ପିଲାଙ୍କୁ ମଦ ଦିଆଯିବା ଚର୍ଚ୍ଚା

ମାଲକାନଗିରି,୨୨ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ପଡ଼ିଆ ବ୍ଲକ ପରସନପାଲି ଗ୍ରାମରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ପିଲାଙ୍କୁ ମହୁଲି ମଦ ଦେବା ଚର୍ଚ୍ଚାର ବିଷୟ ହୋଇଛି। ହସ୍ତଗତ ହୋଇଥିବା ଫଟୋରୁ ଜଣାପଡିଛି, ପିଲାମାନେ ଧାଡ଼ିରେ ବସି ତଳେ ପତ୍ର ପକାଇଛନ୍ତି। ଏକ ହାଣ୍ଡିରୁ କିଛି ଦ୍ରବ୍ୟ ଆଣି ପିଲାଙ୍କୁ ବିତରଣ କରାଯାଉଥିବା ଦେଖିବାକୁ ମିଳିଛି। କାହା ମୁହଁରେ ମାସ୍କ ନାହିଁ କିମ୍ବା କେହି ସାମାଜିକ ଦୂରତ୍ୱ ରକ୍ଷା କରିନାହାନ୍ତି। ଏହା ଜଣାପଡ଼ିବା ପରେ କେତେଜଣ ଆଦିବାସୀ ନେତା ନିଜ ମତ ରଖିଛନ୍ତି। ସେମାନେ କହିଛନ୍ତି, ଆଦିବାସୀଙ୍କ ଚାଲିଚଳନ ଏବଂ ଖାଦ୍ୟ ସହରବାସୀଙ୍କଠାରୁ ଅଲଗା ା ବିଶେଷକରି ଜଙ୍ଗଲ ବହୁଳ ଅଞ୍ଚଳରେ ରହୁଥିବା ଆଦିବାସୀଙ୍କ ଅନ୍ୟତମ ପ୍ରିୟ ଖାଦ୍ୟ ହେଉଛି କାଇ ଓ ତା’ର ଅଣ୍ଡା। ଜଙ୍ଗଲରେ କାଇ ଗଛରେ ବସା ବାନ୍ଧିଥାନ୍ତି। ଗୋଟିଏ ଗୋଟିଏ ବସାରେ ୧୦ରୁ ୨୦ ହଜାର କାଇ ରହିଥାନ୍ତି। ଏହାର ଅଣ୍ଡା ଖାଇଲେ ରୋଗ ପ୍ରତିରୋଧ ସହ ଶକ୍ତି ବୃଦ୍ଧି ହୋଇଥାଏ ବୋଲି ଆଦିବାସୀଙ୍କ ବିଶ୍ୱାସ ରହିଛି। ମାଲକାନଗିରି ଜିଲାରେ ଏଯାଏ କୌଣସି ଆଦିବାସୀ ଗ୍ରାମରେ କରୋନା ଲକ୍ଷଣ ଦେଖାଦେଇନାହିଁ। ଏମାନେ ଗୋବର ଖତରେ ଧାନ ଚାଷ କରିବା ସହ ଜଙ୍ଗଲର ଫଳମୂଳ, ପନିପରିବା ବ୍ୟବହାର କରିଥାନ୍ତି। ଯେଉଁ ଫଟୋ ବାହାରିଛି ଏହା ନିଶ୍ଚିତ ଭାବେ କାଇକୁ ତରକାରି ରାନ୍ଧି ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଦିଆଯାଉଛି। ଆଧୁନିକ ଯୁଗରେ ଶିକ୍ଷିତ ଆଦିବାସୀ ସମାଜ କେବେହେଲେ ପିଲାଙ୍କୁ ଏପରି ଧାଡ଼ିରେ ବସାଇ ମହୁଲି ମଦ ଦେଉନାହାନ୍ତି ବୋଲି ଜିଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି କହିଛନ୍ତି। ଏପରି ଫଟୋ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେବା ପରେ ଅବକାରୀ ନିରୀକ୍ଷକ ଅଶୋକ ସେଠ୍‌, ଅବକାରୀ ଓଆଇସି ଦିଲୀପ କୁମାର ଏବଂ ପଡ଼ିଆ ପୋଲିସ ସମ୍ପୃକ୍ତ ଗ୍ରାମକୁ ଯାଇ ତଦନ୍ତ କରିଥିଲେ। ଗ୍ରାମବାସୀ କହିଥିଲେ, ଗ୍ରାମର ଆଇତା କବାସୀଙ୍କ ପୁଅର ୩ ମାସ ତଳେ ବାହାଘର ହୋଇଥିଲା। ଭୋଜିରେ ପରମ୍ପରା ଅନୁସାରେ ପାଳୁଅ ମିଠାପଣା ସମସ୍ତଙ୍କୁ ଦିଆଯାଇଥିଲା। ଏହି ପାଳୁଅ ମିଠାପଣା ପିଲାମାନେ ମଧ୍ୟ ପିଇଥିଲେ। ମଙ୍ଗଳବାର ବିଭିନ୍ନ ମାଧ୍ୟମରେ ଆସିଥିବା ଫଟୋରେ ସତ୍ୟତା ନାହିଁ ବୋଲି ଗ୍ରାମବାସୀ କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share