Categories: ଜାତୀୟ

ଶହୀଦ୍‌ଙ୍କ ପରିବାରର କଲ୍ୟାଣ ପାଇଁ ଦାନ କରିବା ପ୍ରତି ଭାରତୀୟଙ୍କ କର୍ତ୍ତବ୍ୟ: ମୋଦି

ନୂଆଦିଲ୍ଲୀ,୭।୧୨: ଦେଶ ସୁରକ୍ଷା କ୍ଷେତ୍ରରେ ଶହୀଦ୍‌ଙ୍କର ଅବଦାନ ଅତୁଳନୀୟ। ସେମାନଙ୍କ ପରିବାରର କଲ୍ୟାଣ ପାଇଁ ପ୍ରତି ଭାରତୀୟ ସାଧ୍ୟ ମୁତାବକ ଦାନ କରିବା ଆବଶ୍ୟକ ବୋଲି ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଆର୍ମଡ ଫୋର୍ସ ଫ୍ଲାଗ୍‌ ଡେ ଅବସରରେ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ଏଭଳି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଅବସରରେ ଟୁଇଟ୍‌ କରି ଦେଶର ସୁରକ୍ଷାରେ ଜୀବନକୁ ବଳି ଦେଇଥିବା ଶହୀଦ୍‌ ପରିବାର ସଦସ୍ୟଙ୍କ ପ୍ରତି ଦେଶର ଗୁରୁଦାୟିତ୍ୱ ରହିଥିବା କହିଛନ୍ତି। ସେହିପରି ଦେଶର ସୁରକ୍ଷାରେ ନିୟୋଜିତ ଥିବା ସମୟରେ କୌଣସି ଅଙ୍ଗ ହରାଇଥିବା ଯବାନ ଏବଂ ଅବସରପ୍ରାପ୍ତ ଯବାନଙ୍କ ପ୍ରତି ସଭିଏଁ ଯତ୍ନବାନ ହେବାର ଆବଶ୍ୟକତା ରହିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ପ୍ରତିବର୍ଷ ଡିସେମ୍ବର ୭କୁ ଆର୍ମଡ ଫୋର୍ସ ଫ୍ଲାଗ୍‌ ଡେ ଭାବେ ପାଳନ କରାଯାଇଥାଏ। ୧୯୪୯ଠାରୁ ଗତ ୭୦ ବର୍ଷ ଧରି ଏଭଳି ଜାରି ରହିଛି। ଶହୀଦ୍‌ ପରିବାରଙ୍କ କଲ୍ୟାଣ ପାଇଁ ଏହି ଦିବସ ଦେଶବ୍ୟାପି ପାଳିତ ହୋଇଥାଏ। ୧୯୪୭ ଅଗଷ୍ଟ ୨୩ରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ରକ୍ଷା ସମିତି ପକ୍ଷରୁ ଶହୀଦ୍‌ ପରିବାରଙ୍କ କଲ୍ୟାଣ ଲାଗି ଏକ ପ୍ରସ୍ତାବ ଅଣାଯାଇଥିଲା। ପରେ ଏହାକୁ ଫ୍ଲାଗ୍‌ ଡେ ଭାବେ ପାଳନ କରାଗଲା। ୧୯୯୩ଠାରୁ ଏହି ଦିନଟି ଆର୍ମଡ ଫୋର୍ସ ଫ୍ଲାଗ୍‌ ଡେ ଭାବେ ପାଳିତ ହୋଇଆସୁଛି।

Share