Categories: ଜାତୀୟ

ଉତ୍ତରାଧିକାରୀ ବାଛିବାକୁ ସିଜେଆଇଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ,୨୧।୩ (ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେ ଆଉ ମାସେ ପରେ ଅବସର ନେବାକୁ ଯାଉଥିବାବେଳେ ପରବର୍ତ୍ତୀ ସିଜେଆଇ ନିଯୁକ୍ତି ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବା ଲାଗି ସରକାର ସିଜେଆଇ ବୋବ୍‌ଡେଙ୍କୁ କହିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଏପ୍ରିଲ ୨୩ରେ ଅବସର ନେବାକୁ ଥିବା ଜଷ୍ଟିସ୍‌ ବୋବ୍‌ଡେଙ୍କ ପାଖକୁ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଶୁକ୍ରବାର ଏକ ପତ୍ର ଲେଖି ପରବର୍ତ୍ତୀ ସିଜେଆଇଙ୍କ ନାମ ସୁପାରିସ କରିବାକୁ କହିଥିବା ଜଣାପଡ଼ିଛି। ସାଧାରଣତଃ ସିଜେଆଇ ପଦବୀରେ ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଥାଏ। ତେବେ ଆଇନମନ୍ତ୍ରୀ ପରବର୍ତ୍ତୀ ସିଜେଆଇ ନିଯୁକ୍ତି ଲାଗି ଜଷ୍ଟିସ୍‌ ବୋବ୍‌ଡେଙ୍କ ସୁପାରିସ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବେ। ପ୍ରଧାନମନ୍ତ୍ରୀ ସିଜେଆଇ ନିଯୁକ୍ତି ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେବେ। ସିଜେଆଇ ପଦବୀ ପାଇଁ ସର୍ବବରିଷ୍ଠ ଆଇନଜୀବୀଙ୍କ ଫିଟ୍‌ନେସ୍‌କୁ ନେଇ ସନ୍ଦେହ ପ୍ରକାଶ ପାଇଲେ ଅନ୍ୟ ବିଚାରପତିମାନଙ୍କ ସହ ପରାମର୍ଶ କରାଯାଇଥାଏ। ବୋବ୍‌ଡେଙ୍କ ପରେ ଏବେ ଜଷ୍ଟିସ ଏନ୍‌.ଭି. ରମାନା ସୁପ୍ରିମକୋର୍ଟର ସର୍ବବରିଷ୍ଠ ବିଚାରପତି।

Share