Categories: ଜାତୀୟ

ବିଚାରପତିଙ୍କୁ ସରକାର ବଦନାମ କରିବା ଧାରା ଦୁର୍ଭାଗ୍ୟଜନକ: ସିଜେଆଇ

ନୂଆଦିଲ୍ଲୀ,୯ା୪ : ବିଚାରପତିମାନଙ୍କୁ ସରକାର ବଦନାମ କରିବାର ନୂଆ ଧାରା ଦେଶରେ ଆରମ୍ଭ ହୋଇଯାଇଛି। ଏହା ଦୁର୍ଭାଗ୍ୟଜନକ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା କହିଛନ୍ତି। ସିଜେଆଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ କ୍ରିଷ୍ଣା ମୁରାରୀ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଦୁଇଟି ସ୍ବତନ୍ତ୍ର ପିଟିଶନର ଶୁଣାଣି କରିଥିଲେ। ସେଥିରୁ ଗୋଟିଏ ହାଇକୋର୍ଟଙ୍କ ରାୟ ବିରୋଧରେ ଛତିଶଗଡ଼ ସରକାରଙ୍କ ପିଟିଶନ। ରାଜ୍ୟର ପୂର୍ବତନ ପ୍ରମୁଖ ସଚିବ ଅମନ କୁମାର ସିଂଙ୍କ ବିରୋଧରେ ଦୁର୍ନୀତି ନିର୍ବାରଣ ଆଇନରେ ଦାଏର ଏତଲାକୁ ହାଇକୋର୍ଟ ଖାରଜ କରିଦେଇଥିଲେ। ଏତଲା ଖାରଜର କାରଣ ଅଭିଯୋଗ ଅନୁମାନ ଉପରେ ଆଧାରିତ ଥିଲା ବୋଲି ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଡାଭେ କହିଥିଲେ। ଅଦାଲତଙ୍କୁ ବଦନାମ କରିବାକୁ ଉଦ୍ୟମ କର ନାହିଁ ବୋଲି ସିଜେଆଇ କହିବା ସହ ସର୍ବୋଚ୍ଚ ଅଦାଲତରେ ମଧ୍ୟ ସେଭଳି ଘଟଣା ସେ ଦେଖୁଥିବା କହିଥିଲେ। ତେବେ ମାମଲାରେ କାହାକୁ ନିନ୍ଦା କରାଯାଇ ନାହିଁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏତଲା ଦାଏର ହୋଇଥିବା ଡାଭେ କହିଥିଲେ।

Share