ଭୁବନେଶ୍ୱର,୧୨।୩(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନିୟନ୍ତ୍ରିତ ବେଗରେ ଗାଡ଼ି ଚାଳନା ବେଳେ ଲୋକଙ୍କ ଉପରକୁ ମାଡିଯିବା ଅତ୍ୟନ୍ତ ହୀନକାର୍ଯ୍ୟ । ଯଦି ବିଧାୟକ ନିଜେ ଗାଡ଼ି ଚଳାଇ ଏପରି କାର୍ଯ୍ୟ କରିଥିବେ, ତେବେ ତାହା ଅତ୍ୟନ୍ତ ସଙ୍ଗିନ ଓ ଅକ୍ଷମଣୀୟ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ପଦ୍ମାକର ଗୁରୁ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଆଇନ ଅନୁଯାୟୀ ନିରପେକ୍ଷ ତଦନ୍ତ କରାଯାଉ । ଘଟଣାର ପର୍ଦ୍ଦାଫାଶ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରନ୍ତୁ। କିନ୍ତୁ ଏହି ଘଟଣାର ପ୍ରତିବାଦରେ ଯେଉଁ ଭଳି ଆକ୍ରମଣରେ ବିଧାୟକ ଓ ପୋଲିସଙ୍କୁ ଲୋକେ ଲହୁଲୁହାଣ, ଆଘାତ କଲେ ତାହା ମଧ୍ୟ ଗ୍ରହଣୀୟ ନୁହେଁ। ଉଭୟ ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଇ ଦଣ୍ଡବିଧାନ କରାଯାଉ । ରାଜନୀତିରେ ହିଂସା ଆଦୌ ଗ୍ରହଣୀୟ ନୁହେଁ। ଏ କ୍ଷେତ୍ରରେ ଖୋର୍ଦ୍ଧା ଜିଲା ଆରକ୍ଷୀ ଅଧୀକ୍ଷକ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ।