ଚାଷୀ ଗୀତ ଗାଇଲେ ବର୍ଷା ହୁଏ

ଜୟପୁର, ୨୩।୮: ରାଜସ୍ଥାନରେ ବର୍ଷାଭାବ ବେଳେ ଚାଷୀ ହାତରେ ଛତା ଧରି ବିଲକୁ ଯାଇ ରାଗ ମେଘ ମଲ୍ଲାର ଗୀତ ଗାଇଲେ ବର୍ଷା ହୋଇଥାଏ। ଏକଥା ବିଶ୍ୱାସ ନ ହେଲେ ମଧ୍ୟ ସତ୍ୟ। ଏପରିକି କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଘଟଣାରେ ବିସ୍ମିତ ହୋଇଛନ୍ତି। ରାଜସ୍ଥାନରେ ଏଭଳି ପରମ୍ପରା ୧୦୦୦ ବର୍ଷ ହେଲା ଚଳିଆସୁଛି। ଚାଷୀମାନେ ବୀର ତେଜାଜୀଙ୍କ ଗୌରବ ଗାଥା ଗାନ କରିଥାନ୍ତି। ତେଜାଜୀ ହେଉଛନ୍ତି ଜଣେ ସ୍ଥାନୀୟ ଜନନାୟକ ଯିଏ ଗାଈମାନଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବଳି ଦେଇଥିଲେ। ବ୍ରିଟେନର ପିଏଚ୍‌ଡି ଛାତ୍ରୀଛାତ୍ର ଏହି ‘ତେଜା ସଙ୍ଗୀତ’ ଉପରେ ଖୁବ୍‌ଶୀଘ୍ର ଗବେଷଣା କରିବେ। ତେଜା ସଙ୍ଗୀତର ଲୋକପ୍ରିୟତାକୁ ନେଇ ୧୧ ବର୍ଷ ପୂର୍ବେ ମଦନ ମୀନା ନାମକ ପୂର୍ବ ରାଜସ୍ଥାନର ଜଣେ ବାସିନ୍ଦା କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ସହାୟତାରେ ୩୦୦ ପୃଷ୍ଠାର ଏକ ପୁସ୍ତକ ଲେଖିଥିଲେ। କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ଓ୍ବେବ୍‌ସାଇଟ୍‌ରେ ‘ତେଜା ଗାଥା’ ନାମରେ ଉକ୍ତ ପୁସ୍ତକ ସମେତ ଅନ୍ୟାନ୍ୟ ସମସ୍ତ ବିବରଣୀ, ଅଡିଓ ଏବଂ ଭିଡିଓ ରେକର୍ଡିଂ ଉପଲବ୍ଧ। ତେଜା ଗୀତ ସହ ବର୍ଷାର ନିବିଡ଼ ସମ୍ପର୍କ ଥିବା ରାଜସ୍ଥାନୀମାନେ କହିଥାନ୍ତି। ଚାଷୀମାନେ ଏହି ଗୀତ ଗାଇଲେ ଇନ୍ଦ୍ରଦେବ ବର୍ଷା ମାଧ୍ୟମରେ ଆଶୀର୍ବାଦ ଦେଇଥାନ୍ତି ବୋଲି କର୍ମାବାଈ ଜାଟ୍‌ ମହିଳା ଅନୁଷ୍ଠାନର ରାଜ୍ୟ ଅଧ୍ୟକ୍ଷା ଡ. ରଜନୀ ଗଓ୍ବାଡ଼ିୟା କହିଛନ୍ତି।

Share