Categories: ଜାତୀୟ

‘ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି’

ନୂଆଦିଲ୍ଲୀ,୯।୧୨: ”ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁ ନେଇ ଲୋକଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ଏହା କିଛି ବଡ଼ କଥା ନୁହେଁ ପ୍ରତ୍ୟେକ ଥର ଏଭଳି ଦୁର୍ଘଟଣା ପରେ କିଛି ସନ୍ଦେହ ଲୋକଙ୍କ ମନକୁ ଆସେ। ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ସଶସ୍ତ୍ର ବାହିନୀ ବୋଲି ଆମେ ଦାବି କରୁଛୁ। ତେବେ ଏହା କେଉଁ ଭଳି ଘଟିଲା?“ କେନ୍ଦ୍ର ସରକାରଙ୍କୁ ଗୁରୁବାର ଏଭଳି ପ୍ରଶ୍ନ କରିଛନ୍ତି ଶିବ ସେନା ନେତା ସଞ୍ଜୟ ରାଓ୍ବତ।

ସମଗ୍ର ଦେଶ ଦୁର୍ଘଟଣାକୁ ନେଇ ଦ୍ୱନ୍ଦ୍ୱରେ ଅଛି। ପ୍ରତିରକ୍ଷା ମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ଏହାକୁ ଦୂର କରିବା ଉଚିତ ବୋଲି ରାଜ୍ୟସବା ସଦସ୍ୟ କହିଛନ୍ତି। ବୁଧବାର ତାମିଲନାଡୁର କୁନୁରରେ ବାୟୁ ସେନା ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ରାଓ୍ବତ ଓ ତାଙ୍କ ପତ୍ନୀଙ୍କ ସହ ୧୧ ଜଣ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା। ଉଲ୍ଲେଖଯୋଗ୍ୟ, ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକରେ ଜେନେରାଲ ରାଓ୍ବତ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Share