ଏବେ ବି ଓଠରେ ହସ ଖେଳାଇଦିଏ

ମୋର ଜନ୍ମ ଏକ ମଫସଲ ଗାଁରେ। ନିମ୍ନ ମଧ୍ୟବିତ୍ତ ପରିବାର। ବାପା ଶିକ୍ଷକ। ମଧ୍ୟବିତ୍ତ ପରିବାରର ଏକ ବିଶେଷତ୍ୱ ଯାହା ସଚରାଚର ଦୃଷ୍ଟିଗୋଚର ହୁଏ ତା’ହେଲା ସ୍ବାଭିମାନ। ଅଭାବ ଅସୁବିଧା ଭିତରେ ଏଠି ଶିଖିବାକୁ ହୁଏ ବଞ୍ଚତ୍ବାର କଳା ଓ କୌଶଳ ଏବଂ ଧରି ରଖିବାକୁ ପଡ଼େ ଆତ୍ମସମ୍ମାନ। ଏହି ଆତ୍ମସମ୍ମାନ ଟିକକ ବୋଧହୁଏ ମଧ୍ୟବିତ୍ତର ପରିଚୟ। ୧୯୯୨ ମସିହାରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ଏମ.ଏ., ଏମ.ଫିଲ୍‌. ସାରି ଫେରିଲି। ଅନ୍ୟମାନଙ୍କ ଭଳି ମୋ ଆଖିରେ ଥାଏ ଆଖିଏ ସ୍ବପ୍ନ। ବିଶ୍ୱବିଦ୍ୟାଳୟରୁ ସ୍ବର୍ଣ୍ଣ ପଦକ ପ୍ରାପ୍ତ ହୋଇଥାଏ, ସେଥିପାଇଁ ମଧ୍ୟ ମନରେ ଥାଏ ଦୃଢ଼ତା ନିଶ୍ଚୟ ସରକାରୀ କଲେଜରେ ଅଧ୍ୟାପକଟିଏ ହେବି। ଯେହେତୁ ବାପା ଶିକ୍ଷକ ଥିଲେ, ମୋ ଅବଚେତନରେ ଶିକ୍ଷାଦାନ ପାଇଁ ଥାଏ ଘୋର ଦୁର୍ବଳତା: ଶୃଙ୍ଖଳିତ ଜୀବନ, ଭବିଷ୍ୟତ ପିଢ଼ିକୁ ଗଢିବାର ଦାୟିତ୍ୱବୋଧ, ଯାହା ଅନ୍ୟ କୋଣସି ବୃତ୍ତିରେ ପ୍ରାୟ ନ ଥାଏ କହିଲେ ଚଳେ। କିନ୍ତୁ ଏ ସଂସାର ତ ମଣିଷର ଇଚ୍ଛା ଅନୁସାରେ ଚାଲୁନାହିଁ, ଯିଏ ଯାହା ଆଶା କରିବ ତତ୍କାଳ ତାହା ପ୍ରାପ୍ତି ହେବ। ବିଧିର ବିଧାନ ଥିଲା ଅଲଗା। ବିଗତ ନବେ ଦଶକରେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ପାଇଁ ଆର୍ଥିକ କଟକଣା ସବୁ ଲାଗୁହେଲା, ସରକାରୀ ଚାକିରିରେ ଲାଗିଗଲା ନିଯୁକ୍ତି କଟକଣା। ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା, ତା’ସହିତ ସ୍ବପ୍ନମାନେ ମଧ୍ୟ। ସୁଯୋଗ ମିଳିଲା ଏକ ବେସରକାରୀ କଲେଜରେ ଅଧ୍ୟାପନା କରିବାପାଇଁ। ଅଧ୍ୟାପନାରେ ମିଳିଲା ପ୍ରଚୁର ଆତ୍ମସନ୍ତୋଷ। ନଭେମ୍ବର ୧୯୯୨ରେ ଯେତେବେଳେ ମୁଁ ମୋର ପ୍ରଥମ ଦରମା ପାଇଲି ସେ ଅନୁଭୂତି ଥିଲା ଅବର୍ଣ୍ଣନୀୟ। ଦରମା ଥିଲା ୪୫୦ ଟଙ୍କା। ପରିମାଣ ହୁଏତ ସ୍ବଳ୍ପ ହୋଇପାରେ, କିନ୍ତୁ କଲେଜ ଆକାଉଣ୍ଟାଣ୍ଟଠାରୁ ସେତକ ଗ୍ରହଣ କଲାବେଳେ ମୁଁ ଅନୁଭବ କରୁଥିଲି ପ୍ରକୃତରେ ଶ୍ରମର ପାଉଣା ସତେ କେତେ ମିଠା ହୋଇପାରେ! ଏହି ୪୫୦ଟଙ୍କାରୁ ପ୍ରଥମେ ୩୦୦ ଟଙ୍କା ନେଇ ବୋଉ ହାତରେ ବଢ଼େଇଦେଲି ଅବଶିଷ୍ଟ ୧୫୦ ଟଙ୍କାକୁ ପ୍ରଥମ ଇନଷ୍ଟଲମେଣ୍ଟ ଭାବେ ଦାଖଲ କରି ହିରୋ ସାଇକେଲଟିଏ କିଣିଲି। ଯେଉଁ ସମୟରେ ମୋର କତିପୟ ବନ୍ଧୁ ଯେନତେନ ପ୍ରକାରେ ଯୋଗାଡ଼ କରି ହିରୋହୋଣ୍ଡା କିଣିଥିଲେ, ସେ ସମୟରେ ମୁଁ ଇନଷ୍ଟଲମେଣ୍ଟରେ ହିରୋ ସାଇକେଲ କିଣିବା ଭ୍ରୂକୁଞ୍ଚନର କାରଣ ହୋଇଥିଲା ବହୁ ଲୋକଙ୍କର। ଅଥଚ, ମୁଁ ଖୁସି ଥିଲି କାରଣ କାହାଠାରୁ ହାତପାତି, ଧାର ଉଧାର କରି ହିରୋହୋଣ୍ଡା ଚଢିବାଠାରୁ, ହିରୋ ସାଇକେଲରେ ଯିବାଆସିବା ମୋତେ ଦେଇଥିଲା ଅଧିକ ଆତ୍ମସନ୍ତୋଷ। ପରବର୍ତ୍ତୀ ସମୟରେ ମୁଁ ସରକାରୀ କଲେଜରେ ଅଧ୍ୟାପକ ଚାକିରି ପାଇଲି, ପ୍ରଶାସନିକ ପଦବୀରେ ଅବସ୍ଥାପିତ ହେଲି, ବେଶ୍‌ ଭଲ ଦରମା ମିଳିଲା, ଲେଖାଲେଖି, ଘର ସଂସାର, ବାପାବୋଉଙ୍କ ଆଶୀର୍ବାଦରୁ ଠିକ୍‌ଠାକ୍‌ ଚାଲିଛି। କିନ୍ତୁ ପ୍ରଥମ ମାସର ଦରମା କଥା ମନେପଡ଼ିଲେ ଆପଣାଛାଏ ଧାରେ ହସ ଓଠରେ ଖେଳେଇ ହୋଇଯାଏ।