ରାତ୍ରରେ ପାର୍କ ବୁଲିବା ପଡ଼ିଲା ମହଙ୍ଗା, ମହିଳାଙ୍କୁ ଆକ୍ରମଣ କଲେ ୧୦୦ରୁ ଅଧିକ ମୂଷା…

ଲଣ୍ଡନ,୨୮।୭: ବିଭିନ୍ନ ସମୟରେ କେତେକ ଲୋକ ନିଆରା ଅଭିଜ୍ଞତା ବଖାଣିଥାନ୍ତି। ଏହା ବେଳେବେଳେ ବିଶ୍ୱାସ ହୋଇ ନ ଥାଏ। ଘଟଣାର ସତ୍ୟାସତ୍ୟ ନେଇ ନାନା ସନ୍ଦେହ ମଧ୍ୟ ଉପୁଜିଥାଏ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଲଣ୍ଡନରେ ରହୁଥିବା ଜଣେ ମହିଳା। ତାଙ୍କୁ ୧୦୦ରୁ ଅଧିକ ମୂଷା ଆକ୍ରମଣ କରିଥିବା ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସୁଜାନ ଟ୍ରେଫ୍ଟବ ନାମ୍ନୀ ମହିଳା ଦାବି କରିଛନ୍ତି ଯେ ପାର୍କରେ ବୁଲିବା ସମୟରେ ମୂଷାମାନେ ତାଙ୍କ ଉପରେ ଆକ୍ରମଣ କରି ତାଙ୍କ ହାତ ଓ ଗୋଡକୁ ଜାବୁଡ଼ି ଧରି କାମୁଡ଼ିବା ଆରମ୍ଭ କରିଥିଲେ। ଶେଷରେ ସେ ବହୁ କଷ୍ଟରେ ମୂଷାଙ୍କ ମୁକ୍ତି ପାଇଥିଲେ। ଗୋଇଠାମାରି ମୂଷାଙ୍କୁ ତଡ଼ି ସେ ଜୀବନ ବଞ୍ଚାଇ ପାର୍କ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଏକ ଖବର ଅନୁଯାୟୀ, ଲଣ୍ଡନରେ ରହୁଥିବା ୪୩ ବର୍ଷିୟ ସୁଜାନ ଟ୍ରେଫ୍ଟବ, ଜୁଲାଇ ୧୯ ରାତ୍ର ୯ଟା ସମୟରେ ନର୍ଥଫିଲ୍ଡର ବ୍ଲୋଣ୍ଡିନ ପାର୍କରେ ବୁଲୁଥିଲେ। ହଠାତ୍‌ ତାଙ୍କର ଦୃଷ୍ଟି ପାର୍କର ଲନ୍‌ ଉପରେ ପଡ଼ିଥିଲା। ଘାସ ଉପରେ ମୂଷା ବୁଲୁଥିବାର ସେ ଦେଖିଥିଲେ। ମୂଷା ଦେଖି ସୁଜନ ଭୟଭୀତ ହୋଇପଡିଥିଲେ ଏବଂ ସେ ପାର୍କ ଛାଡିବା ପୂର୍ବରୁ ମୂଷାମାନେ ଏକାଠି ହୋଇ ଆକ୍ରମଣ କରିଥିଲେ। ଏହି ଖବର ସମ୍ପର୍କରେ ଜାଣିବା ପରେ, ଇଂଲିଙ୍ଗ କାଉନସିଲର ମୁଖପାତ୍ର କହିଛନ୍ତି ଯେ, ପାର୍କ ବୁଲି ଆସୁଥିବା ଲୋକେ ଅଇଁଠା ଖାଦ୍ୟ ପଦାର୍ଥ ଏଣେତେଣେ ପକାଉଥିବାରୁ ମୂଷା ପାର୍କକୁ ଆସୁଛନ୍ତି। ତେଣୁ ଏଭଳି କାର୍ଯ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି।

Share