Categories: ଖେଳ

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କାରଣ ସେମାନେ ୨୪ଟି ବଲ ବାକି ରହି ୨୦୧ ରନ ଲକ୍ଷ୍ୟ ହାସଲ କରିଛନ୍ତି। ଏହି ମ୍ୟାଚ ପରେ ବେଙ୍ଗାଲୁରୁର ଡ୍ରେସିଂ ରୁମରେ ପରିବେଶ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏହାର ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛି। ଏଥିରେ ସମସ୍ତ ଆରସିବି ଖେଳାଳି ୱିଲ ଜ୍ୟାକ୍ସଙ୍କର ପ୍ରଶଂସକ ହୋଇଛନ୍ତି। ୱିଲ ଜ୍ୟାକ୍ସ ଜିଟି ବିପକ୍ଷ ମ୍ୟାଚରେ ୪୧ ବଲରେ ୧୦୦ ରନ ସ୍କୋର କରିଥିଲେ। ଏହା ସହ ସେ ଆଇପିଏଲ ଇତିହାସରେ ୫ ତମ ଦ୍ରୁତତମ ଶତକ ହାସଲ କରିଛନ୍ତି। ଭିଡିଓ ଆରମ୍ଭରେ, ସମସ୍ତ ଦଳର ଖେଳାଳି ଏବଂ ସହାୟକ କର୍ମଚାରୀମାନେ ମଧ୍ୟ ୱିଲ ୱିଲ ଜ୍ୟାକ୍ସଙ୍କୁ ସ୍ବାଗତ କରୁଥିବା ନଜର ଆସିଥିଲେ ଏବଂ ସମସ୍ତେ ତାଙ୍କ ପାଇଁ କରତାଳି ଦେଇଥିଲେ।
୧୪ତମ ଓଭର ଶେଷ ସୁଦ୍ଧା ଜ୍ୟାକ୍ସ ୨୯ଟି ବଲରେ ୪୪ ରନ ସଂଗ୍ରହ କରିଥିଲେ। କିନ୍ତୁ ୧୫ ଓ ୧୬ତମ ଓଭରରେ ମଧ୍ୟ ଜ୍ୟାକ ବୋଲରମାନଙ୍କୁ ପ୍ରହାର କରିଥିଲେ। ପ୍ରଥମେ ସେ ମୋହିତ ଶର୍ମାଙକ ୧୫ତମ ଓଭରରେ ୨୯ ରନ ସ୍କୋର କରିଥିଲେ ଏବଂ ପରବର୍ତ୍ତୀ ଓଭରରେ ରସିଦ ଖାନ ମଧ୍ୟ ୨୯ ରନ ଦେଇଥିଲେ। ଶେଷ ୧୨ଟି ବଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନ ୫୮ ରନ ସଂଗ୍ରହ କରିଥିଲେ, ସେଥିମଧ୍ୟରୁ ୫୬ଟି ୱିଲ ଜ୍ୟାକ୍ସଙ୍କ ନାମରେ ଥିଲା। ସେ ୪୧ ବଲରେ ଶତକ ପୂରଣ କରିବାରେ ସକ୍ଷମ ହୋଇଥିଲେ।
କୋହଲି ଏହି ଭିଡିଓରେ କହିଛନ୍ତି, ସେ ୧୬ ତମ ଓଭରର ପ୍ରଥମ ବଲରେ ଛକା ମାରିବାକୁ ଯାଉଥିଲେ, କିନ୍ତୁ ତାହା ନ କରିବାରୁ ସେ ରାଗି ଯାଇଥିଲେ। କିନ୍ତୁ ଯେତେବେଳେ ସେମାନେ ୯୪ ରନ୍‌ ଜ୍ୟାକ୍ସଙ୍କୁ ଦେଖିଲେ ଏବଂ ଜିତିବା ପାଇଁ ଦଳକୁ ମାତ୍ର ୧ ରନ ଆବଶ୍ୟକ ଥିଲା। ଜ୍ୟାକ୍ସ ଛକା ମାରି ଦଳକୁ ଜିତାଇଥିଲେ। ତା’ପରେ କୋହଲି ଅନୁଭବ କଲେ ଯେ ତାଙ୍କ ପାଇଁ ସେତେବେଳେ ଛକା ନ ମାରିବାଟା ବୋଧହୁଏ ଠିକ୍‌ ଥିଲା। ଏହି ମ୍ୟାଚରେ କୋହଲି ଏବଂ ଜ୍ୟାକ ମଧ୍ୟରେ ୧୬୬ ରନର ଭାଗିଦାରୀ ହୋଇଥିଲା, ଯାହା ଆରସିବିର ୯ ଉଇକେଟରେ ବିଜୟ ନିଶ୍ଚିତ କରିଥିଲା।

Share