Categories: ଖେଳ

ବଦଳି ପାରିଲୁ ନାହିଁ ଭାରତୀୟ ଖେଳାଳିଙ୍କ ଧାରଣା

ମାଞ୍ଚେଷ୍ଟର,୧୦।୯: ଭାରତୀୟ କ୍ୟାମ୍ପରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ମାଞ୍ଚେଷ୍ଟର ଟେଷ୍ଟ ବାତିଲ ହୋଇନାହିଁ। ଏହା ପଛରେ ଅନ୍ୟ କାରଣ ଥିବା କହିଛନ୍ତି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ସିଇଓ ଟମ ହାରିସନ। ଭାରତୀୟ ଖେଳାଳିଙ୍କ ଧାରଣା କାରଣରୁ ମ୍ୟାଚ୍‌ ଖେଳାଯାଇ ପାରି ନ ଥିବା ସେ କହିଛନ୍ତି। ସିରିଜ୍‌ର ୫ମ ତଥା ଅନ୍ତିମ ଟେଷ୍ଟ ଶୁକ୍ରବାର ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଟିମ୍‌ ଇଣ୍ଡିଆର ସିନିୟର ଖେଳାଳିମାନେ ଫିଲ୍ଡକୁ ଓହ୍ଲାଇବାକୁ ମନା କରି ଦେଇଥିଲେ।

କୋଭିଡ୍‌ ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ନୁହେଁ। ଖେଳାଳିଙ୍କ ସିଧାସଳଖ ସଂଶ୍ପର୍ସରେ ଥିବା ଫିଜିଓ ପଜିଟିଭ ଚିହ୍ନଟ ହେବା ପରେ ଫିଲ୍ଡକୁ ଓହ୍ଲାଇବାକୁ ଭାରତୀୟ ଖେଳାଳିମାନେ ସୁରକ୍ଷିତ ମନେ କରୁ ନ ଥିଲେ। ଖେଳାଳିମାନେ ସାଥିରେ ନେଇ ଯାଇଥିବା ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟବସ୍ଥା ପାଇଁ ମଧ୍ୟ ଚିନ୍ତିତ ଥିଲେ। ଏଣୁ ବିଭିନ୍ନ ଆଶ୍ୱାସନା ସତ୍ତ୍ୱେ ସେମାନଙ୍କ ନିଷ୍ପତ୍ତି ବଦଳିବାରେ ସଫଳ ହେଲୁ ନାହିଁ ବୋଲି ହାରିସନ କହିଛନ୍ତି।

ଫିଜିଓଙ୍କ ରିପୋର୍ଟ ପଜିଟିଭ ଆସିବା ପରଠାରୁ ଭାରତୀୟ ଖେଳାଳିମାନେ ଅନ୍ତିମ ଟେଷ୍ଟ ଖେଳିବାକୁ ଚାହୁଁ ନ ଥିବା ଜଣା ପଡ଼ିସାରିଥିଲା। ଏହା ଆମ ପାଇଁ ଦୁଃଖର ଦିନ। ଅନ୍ତର୍ଜାତୀୟ ସ୍ତରରେ ଏହି ମ୍ୟାଚ୍‌କୁ ଦେଖିବା ପାଇଁ ଅନେକ ପ୍ରଶଂସକ ଅପେକ୍ଷା କରିଥିଲେ। ଗତକାଲି ମଧ୍ୟାହ୍ନ ଭୋଜନ ବେଳକୁ ଭାରତୀୟ ଖେଳାଳିଙ୍କୁ ବୁଝାଇବାରେ ଅସୁବିଧା ହେବ, ତାହା ଆମେ ଜଣିପାରିଥିଲୁ ବୋଲି ଇସିବି ସିଇଓ କହିଛନ୍ତି। ତେବେ ମ୍ୟାଚ୍‌କୁ ପୁନଃ ନିର୍ଦ୍ଧାରଣ ପାଇଁ ଇସିବି ସହ ଆେଲୋଚନା ଚାଲିଥିବା ବିସିସିଆଇ ପକ୍ଷରୁ କୁହାଯାଇଛି।

Share