୩ ମାସ ହେବ ମିଳୁନି ଟଙ୍କିକିଆ ଚାଉଳ

ଏରସମା,୨୨ା୭(ସ୍ବ.ପ୍ର.): ଏରସମା ବ୍ଲକ ଅନ୍ତର୍ଗତ ପୋଖରିଆପଡା ପଞ୍ଚାୟତରେ ଯୋଗାଣ ସାମଗ୍ରୀ ପ୍ରଦାନରେ ଅନିୟମିତତା ହୋଇଥିବା ଗୁରୁବାର ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ସ୍ଥାନୀୟ ଲୋକଙ୍କୁ ଯୋଗାଣ ସାମଗ୍ରୀ ପ୍ରଦାନ କରିବା ପାଇଁ ବ୍ଲକ ଯୋଗାଣ ବିଭାଗ ପକ୍ଷରୁ ଭଜନା ଗ୍ରାମର ବତ୍ସଳା ଦାସଙ୍କୁ ଡିଲର ଭାବେ ନିଯୁକ୍ତି ଦିଆଯାଇଛି। ସରକାରୀ ନିୟମ ଅନୁସାରେ, ରାଶନ କାର୍ଡ ହିତାଧିକାରୀଙ୍କୁ କିଲୋପ୍ରତି ୧ଟଙ୍କା ଦରରେ ପରିବାର ମୁଣ୍ଡ ପିଛା ମାସକୁ ୫ କିଲୋ ଲେଖାଏ ଚାଉଳ ଯୋଗାଇ ଦିଆଯିବ। ମାତ୍ର ଗତ ମେ’ରୁ ଜୁଲାଇ ୩ ମାସ ହେବ ହିତାଧିକାରୀଙ୍କୁ ଏହି ଚାଉଳ ଦିଆଯାଇନାହିଁ।
ଏଥିସହ ରାଶନ ସାମଗ୍ରୀ ପାଇଁ ଫିଙ୍ଗର ପ୍ରିଣ୍ଟ ନେବାପରେ ତାର ରସିଦ୍‌ ଦିଆଯାଉ ନ ଥିବା ପ୍ରଭାକର ଜେନା, ୱାର୍ଡ ସଭ୍ୟ ରବୀନ୍ଦ୍ର ସ୍ବାଇଁ, ବିଚିତ୍ର ଦାସ, ଭିନ୍ନକ୍ଷମ ବିଚିତ୍ର ସ୍ବାଇଁ ଓ ଶଶିକାନ୍ତ ଜେନା ପ୍ରମୁଖ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ା ଏସବୁ ଅଭିଯୋଗକୁ ଡିଲର ଦାସ ଖଣ୍ଡନ କରିବା ସହ କହିଛନ୍ତି, ଫିଙ୍ଗରପ୍ରିଣ୍ଟ ଦେଇଥିତ୍ବା ସମସ୍ତ ହିତାଧିକାରୀମାନଙ୍କୁ ରସିଦ ଦିଆଯାଉଛି। ଏଥିସହ ହିତାଧିକାରୀଙ୍କୁ ସବୁମାସ ଚାଉଳ ଦିଆଯାଉଛି। ଏ ସମ୍ପର୍କରେ ବିଡିଓ କୈଳାସ ଚନ୍ଦ୍ର ବେହେରା କହିଛନ୍ତି, ଗ୍ରାମବାସୀଙ୍କ ଅଭିଯୋଗ ମିଳିଛି। ତଦନ୍ତ ପରେ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Share