ଆଉ ଥରେ ଜିତିବା କଠିନ ହେବ

ଓ୍ବାଶିଂଟନ,୧୪/୮:ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ୩ ମାସରୁ କମ୍‌ ସମୟ ବାକି ଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମୁଣ୍ଡବ୍ୟଥା ବଢ଼ାଇଦେଇଛନ୍ତି ତାଙ୍କ ଡେମୋକ୍ରାଟିକ୍‌ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନ ଓ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌। ବିଡେନ ହାରିସ୍‌ଙ୍କୁ ମଇଦାନକୁ ଓହ୍ଲାଇବା ପରେ ଟ୍ରମ୍ପ୍‌ ନିଜ ପ୍ରତିକ୍ରିୟାରେ ତାଙ୍କୁ ଅତ୍ୟନ୍ତ ଅନୁପଯୁକ୍ତ ଓ ଦୁର୍ବଳ ପ୍ରାର୍ଥୀ ଅଭିହିତ କରି ଏହି ଯୋଡ଼ିକୁ ଆମେରିକାବାସୀ ନିର୍ବାଚନ ବେଳେ ପ୍ରତ୍ୟାଖ୍ୟାନ କରିବେ ବୋଲି କହିଥିଲେ। ଆମେରିକାରେ ବର୍ଣ୍ଣବୈଷ୍ୟମକୁ ନେଇ କୃଷ୍ଣକାୟ ଭୋଟରମାନେ ଟ୍ରମ୍ପ୍‌ଙ୍କୁ ପସନ୍ଦ କରୁ ନ ଥିବାବେଳେ ସେ ଆଗକୁ ହାରିସ୍‌ଙ୍କ ପୃଷ୍ଠଭୂମିକୁ ନେଇ ବ୍ୟକ୍ତିଗତ ଆକ୍ଷେପ କଲେ ରାଷ୍ଟ୍ରପତିଙ୍କୁ ମହଙ୍ଗା ପଡ଼ିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ହ୍ବାଇଟ୍‌ ହାଉସ୍‌କୁ ଦ୍ୱିତୀୟ ଥର ଯାତ୍ରା ପାଇଁ ଜୋର୍‌ଦାର ଉଦ୍ୟମ କରୁଥିବା ୭୪ ବର୍ଷୀୟ ଟ୍ରମ୍ପ୍‌ଙ୍କ ଆଗରେ ବିଡେନ-ହାରିସ୍‌ ଟିମ୍‌ ଏବେ ବଡ଼ ପ୍ରତିବନ୍ଧକ ଭାବେ ଛିଡ଼ା ହୋଇଛନ୍ତି। କୋଭିଡ୍‌-୧୯କୁ ରୋକିବାରେ ବିଫଳତା, ଆର୍ଥିକ ମାନ୍ଦାବସ୍ଥା ଓ ବେକାରି ସମସ୍ୟା ଟ୍ରମ୍ପ୍‌ଙ୍କ ପାଇଁ ବଡ଼ ଆହ୍ବାନ ଭାବେ ଛିଡ଼ା ହୋଇଛି। ବିଶେଷକରି ଜଣେ ଶ୍ୱେତାଙ୍ଗ ପୋଲିସ ଅଫିସର କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କୁ ହତ୍ୟା କରିବା ପରେ ଦେଶରେ ସୃଷ୍ଟି ହୋଇଥିତ୍ବା ବୈଷମ୍ୟ ବିରୋଧୀ ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ଆନ୍ଦୋଳନ ପରେ ଟ୍ରମ୍ପ୍‌ଙ୍କ ସ୍ଥିତି ଅଧିକ ଟଳମଳ ହୋଇଥିଲା। ଅଣଶ୍ୱେତାଙ୍ଗ ହାରିସ୍‌ ରିପବ୍ଲିକାନ୍‌ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ ମାଇକ୍‌ ପେନ୍ସଙ୍କ ପାଇଁ ଅଡ଼ୁଆ ବଢ଼ାଇବେ ତାହା ନୁହେଁ, ରାଷ୍ଟ୍ରପତି ହେବାକୁ ଚାହୁଁଥିବା ଟ୍ରମ୍ପ୍‌ଙ୍କ ମଧ୍ୟ ସ୍ବପ୍ନଭଙ୍ଗ କରିବେ।

Share