ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଚଳିତ ମାସ ଆରାମଦାୟକ ରହିବ। ରାତିରେ ହାଲୁକା ଥଣ୍ଡା ଅନୁଭୂତ ହେବା ବେଳେ ଦିନରେ ସାମାନ୍ୟ ଗରମ ହେବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୦ରୁ ୩୨ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ତେବେ ରାତ୍ରର ତାପମାତ୍ରା ୧୫ ଡିଗ୍ରୀ ମଧ୍ୟରେ ରହିବ। ମାର୍ଚ୍ଚ ଶେଷ ସପ୍ତାହ ପର୍ଯ୍ୟନ୍ତ ଗରମ ସେତେଟା ବଢ଼ିବ ନାହିଁ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏପ୍ରିଲ ବେଳକୁ ତାତି ବଢ଼ିବ । ମାତ୍ର ମାର୍ଚ୍ଚରେ ଗରମର ପ୍ରଭାବ ସେତେଟା ଅନୁଭୂତ ହେବ ନାହିଁ। ଫେବୃୟାରୀ ଭଳି ମାର୍ଚ୍ଚ ଶେଷ ସପ୍ତାହ ଯାଏ ଦିନର ତାତି ୩୫ ଡିଗ୍ରୀ ମଧ୍ୟରେ ରହିବା ବେଳେ ରାତ୍ରି ତାପମାତ୍ରା ୧୨ରୁ ୨୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିପାରେ। ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀ ୮, କୋରାପୁଟ ୧୦.୫, ସୋନପୁର ୧୦.୫, ଭବାନୀପାଟଣା ୧୦.୮, କେନ୍ଦୁଝର ୧୧, ଝାରସୁଗୁଡ଼ା ୧୧.୬, ବାରିପଦାରେ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।