୫୦ ହଲ୍‌ରେ ଏକସଙ୍ଗରେ ରିଲିଜ୍‌ ହେବ

ଭୁବନେଶ୍ୱର,୧।୧୧(ବ୍ୟୁରୋ):ପ୍ରଥମ କରି ରାଜଧାନୀର ବିଭିନ୍ନ ଛକରେ ବୁଲି ପ୍ରଚାର କରିଛି ଓଡ଼ିଆ ଚଳଚ୍ଚିତ୍ର ଟିମ୍‌। ଆସନ୍ତା ୪ ତାରିଖରେ ୫୦ଟି ହଲରେ ରିଲିଜ ହେବାକୁ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଟିମ୍‌ ଏପରି ନିଆରା ଢ଼ଙ୍ଗରେ ଚଳଚ୍ଚିତ୍ରର ପ୍ରଚାର କରିଛନ୍ତି॥ କାନ୍ଧରେ ‘ଦମନ’ର ପୋଷ୍ଟର ସହ ମୃତଦେହର ଅବିକଳ ଏକ ପ୍ରତିକୃତିକୁ ଡାକ୍ତର ବେଶରେ ଥିବା ଦୁଇ ସଦସ୍ୟ କାନ୍ଧରେ ବୋହି ଲୋକଙ୍କୁ ସିନେମାର ବାସ୍ତବତା ବିଷୟରେ ବୁଝାଇବା ସହ ଚଳଚ୍ଚିତ୍ର ଦେଖିବାକୁ ଅନୁରୋଧ କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ମୌଳିକ କାହାଣୀ ନାହିଁ ବୋଲି ଦୀର୍ଘ ଦିନରୁ ବହୁତ ଅଭିଯୋଗ କରିଆସୁଛନ୍ତି ଦର୍ଶକ। ତେବେ ଏହା ନିଶ୍ଚିତ ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି ଚଳଚ୍ଚିତ୍ର ନିର୍ଦ୍ଦେଶକ ଦେବୀପ୍ରସାଦ ଲେଙ୍କା କହିଛନ୍ତି।
ଏହି ଚଳଚ୍ଚିତ୍ରରେ ବାବୁଶାନଙ୍କ ସହ ଅଛନ୍ତି ଦୀପନ୍ବିତ ଦାସ ମହାପାତ୍ର। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏଥିରେ ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି। ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ନିଯୁକ୍ତି ହୁଏ ମାଲକାନଗିରି ଜିଲାର ଉପାନ୍ତ ଅଞ୍ଚଳରେ। ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ୁଛି। ବଡ଼ ବଜେଟ୍‌ର ଏହି ଫିଲ୍ମରେ ବାବୁଶାନଙ୍କୁ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମଟି ବାବୁଶାନ ମହାନ୍ତିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ। ଫିଲ୍ମଟି ରିଲିଜ ପରେ ଓଡ଼ିଆ ସିନେମା ଶିଳ୍ପ ପାଇଁ ଏହା ଏକ ନୂଆ ଦିଶା ଦେବ ବୋଲି ଚଳଚ୍ଚିତ୍ର ନିର୍ମାତା ଆଶା ରଖିଛନ୍ତି।

Share