ଝାରସୁଗୁଡ଼ା-ବରଗଡ଼କୁ ସଂଯୋଗ କରିବ ୩ କି.ମି. ଲମ୍ବା ହାଇ ଲେବଲ୍‌ ବ୍ରିଜ୍‌

ନୂଆଦିଲ୍ଲୀ/ଝାରସୁଗୁଡ଼ା ଅଫିସ: ୮।୪: ଝାରସୁଗୁଡା ଜିଲାକୁ ପଡୋଶୀ ବରଗଡ଼ ଜିଲା ସହିତ ସଂଯୋଗୀକରଣ କରିବା ପାଇଁ ମହାନଦୀ ଉପରେ ଏକ ହାଇଲେବଲ ବ୍ରିଜ୍‌ ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। ଉକ୍ତ ବ୍ରିଜ୍‌ ପାଇଁ ୨୭୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ଉକ୍ତ ହାଇଲେବଲ ବ୍ରିଜ୍‌ ସେତୁ ଝାରସୁଗୁଡା ଜିଲା ଲଖନପୁର ବ୍ଲକ୍‌ ଭିକମପାଲି ପଞ୍ଚାୟତ ପୂଜାରୀପାଲି ନିକଟ ପଦ୍ମପୁରଘାଟରୁ ବରଗଡ ଜିଲା ଅମ୍ବାଭନା ବ୍ଲକ୍‌ ଜରିମୁଳି ଘାଟ ସହ ସଂଯୋଗ କରିବ। ଏହି ଦୀର୍ଘତମ ସେତୁର ଦୂରତ୍ୱ ୩ କିଲୋମିଟର ରହିଛି। ଏହା ବ୍ୟତୀତ କେନ୍ଦ୍ର ସରକାର ପାଟଣାଗଡ଼-ପଦ୍ମପୁର ରୋଡ୍‌ର ୨୧/୧୬୦ କି.ମିରୁ ୩୮/୬୨୫ କି.ମି. ପର୍ଯ୍ୟନ୍ତ ସୁଦୃଢ଼ୀକରଣ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଥିବା ପରିବହନ ମନ୍ତ୍ରୀ ଗଡ଼କରୀ କହିଛନ୍ତି।

ବରଗଡ଼ ଏମ୍‌ପି ସୁରେଶ ପୂଜାରୀଙ୍କ ଅନୁରୋଧ କ୍ରମେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ଉପରୋକ୍ତ ପ୍ରକଳ୍ପଗୁଡ଼ିକର ଅନୁମୋଦନ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ବ୍ୟତୀତ ବରଗଡ଼-ଭଟଲି-ଅମ୍ବାଭୋନା ରାସ୍ତା ପ୍ରଶସ୍ତୀକରଣକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି। ଉକ୍ତ ୩ ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ସଡ଼କ ଓ ଭିତ୍ତିଭୂମି ପାଣ୍ଠି (ସିଆର୍‌ଆଇଏଫ୍‌)ରୁ ପାଣ୍ଠି ଯୋଗାଇଦିଆଯିବ। ଏ ବାବଦରେ ୩୬୮.୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି।