କେନ୍ଦ୍ରାପଡ଼ା ଅଫିସ, ୧୫ା୫: ରାଜ୍ୟ ସରକାର ଓଡ଼ିଶାକୁ ୧୩ରୁ ୩୦ ଜିଲା କଲେ। ଅବିଭକ୍ତ କଟକ ଜିଲାରୁ କେନ୍ଦ୍ରାପଡ଼ା ୧୯୯୩ ମସିହା ଏପ୍ରିଲରେ ସ୍ବତନ୍ତ୍ର ମାନ୍ୟତା ମିଳିଲା। ତେବେ ଏହି ଜିଲା ମାନ୍ୟତା ପରେ ସବୁ କିଛି ଠିକ୍ଠାକ୍ ଚାଲିନାହିଁ। ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଜିଲାବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ଜିଲାର ଲୋକସମ୍ଭଳ ବିନିଯୋଗ ପାଇଁ କୌଣସି ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉନାହିଁ। ଫଳରେ ଜିଲାରୁ ଦାଦନ ସମସ୍ୟା ହଟୁନାହିଁ। ଶିଳ୍ପ ଓ କ୍ଷୁଦ୍ରଶିଳ୍ପ ପାଇଁ ପ୍ରଶାସନିକ ବ୍ୟବସ୍ଥା ଯଥେଷ୍ଟ ନୁହେଁ। ସିଙ୍ଗଲ ୱିଣ୍ଡୋ ଏହାର ସମାଧାନ ହୋଇପାରିବ। ସେହିପରି ଜିଲାର ଭିତ୍ତିଭୂମି କୃଷି ଓ ପର୍ଯ୍ୟଟନ ହୋଇଥିଲେ ମଧ୍ୟ ଏହାକୁ ସର୍ବଦା ଅଣଦେଖା କରାଯାଇଛି। ଜିଲା ବିକାଶରେ ଚାପ ସୃଷ୍ଟିକାରୀ ଗୋଷ୍ଠୀର ଅଭାବ ବୋଲି ସ୍ଥାନୀୟ ଜିଲାବାସୀ ମତ ଦେଇଛନ୍ତି।
କୃଷି, କୃଷକଙ୍କୁ ଅବହେଳା
ପ୍ରାକୃତିକ ବିପର୍ଯ୍ୟୟପ୍ରବଣ କେନ୍ଦ୍ରାପଡ଼ା ଜିଲାର କୃଷି ଓ କୃଷକଙ୍କ ପ୍ରତି ସର୍ବଦା ଅବହେଳା ପ୍ରଦର୍ଶନ କରାଯାଉଛି। ଜିଲାର ଅର୍ଥନୀତି କୃଷିଭିତ୍ତିକ। ମାତ୍ର ଜଳ ପରିଚାଳନା ଏକ ମୁଖ୍ୟ ସମସ୍ୟା ହୋଇରହିଛି। ଆଳି, ରାଜନଗର, ରାଜକନିକାରେ ଆଦୌ କେନାଲ ନାହିଁ। ମହାକାଳପଡ଼ାରେ ମାତ୍ର ୨୦ ପ୍ରତିଶତକୁ ଜଳସେଚନ ବ୍ୟବସ୍ଥା ହୋଇଛି। ଜଳ ନିଷ୍କାସନ ଚାଷ ପାଇଁ ବଡ଼ ବିପଦ ହୋଇଥିବା ବେଳେ ଜିଲା ଗଠନର ୨୯ବର୍ଷ ପରେ ମଧ୍ୟ ଏଥିପ୍ରତି ପ୍ରଶାସନିକ ଅଧିକାରୀ ଅଥବା ରାଜନେତା ସମ୍ବେଦନଶୀଳ ନୁହନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର କୃଷକଙ୍କ ପାଇଁ କାଳିଆ, ବଳାରାମ, କିଷାନ ଯୋଜନାରେ କୃଷକଙ୍କ ଅଭିବୃଦ୍ଧି ପାଇଁ ସହାୟତା ରାଶି ଯୋଗାଉଥିଲେ ମଧ୍ୟ ତୃଣମୂଳ ସମସ୍ୟାକୁ ଏଡ଼ାଇ ଯାଉଛନ୍ତି। ଫଳରେ ଯୁବବର୍ଗ ଚାଷ ପରିବର୍ତ୍ତେ ଦାଦନ ଖଟିବାକୁ ଜିଲା ବାହାରକୁ ଯାଉଛନ୍ତ।
– ରାଧାକାନ୍ତ ମହାନ୍ତି, ଡେରାବିଶ, କେନ୍ଦ୍ରାପଡ଼ା
ମୌଳିକ ସେବା ମିଳୁନି
ଶିକ୍ଷା, ସ୍ବାସ୍ଥ୍ୟ, ତାଲିମ, ପାନୀୟ ଜଳ ପରି ମୌଳିକ ସମସ୍ୟାରେ ଜିଲାବାସୀ ପଡ଼ିଛନ୍ତି। ଜିଲାର ୧୭ ପଞ୍ଚାୟତକୁ ସିଧାସଳଖ ଯାତାୟାତ ପଥ ନାହିଁ। ଶିକ୍ଷାନୁଷ୍ଠାନର ଭିତ୍ତିଭୂମିରେ ଶିକ୍ଷକ ଅଭାବ ପ୍ରାଥମିକ ଅନ୍ତରାୟ ସୃଷ୍ଟି କରିଛି। ସେହିପରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ରୋଗୀଙ୍କୁ ଚିକିତ୍ସା ବଦଳରେ ଅନ୍ୟତ୍ର ଚିକିତ୍ସା ପାଇଁ ରେଫର କାଗଜ ମିଳୁଛି। ଜିଲାର ବହୁଦିନର ଦାବି ମେଡିକାଲ କଲେଜ, କେନ୍ଦ୍ରାପଡ଼ା କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା, କୃଷି ବିଦ୍ୟାଳୟ, ସାମୁଦ୍ରିକ ଗବେଷଣାଗାର ଆଦିକୁ ଅଣଦେଖା କରାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଏକ ମାତ୍ର ପାନୀୟ ଜଳ ସଙ୍କଟ ଜିଲା ଭାବେ କେନ୍ଦ୍ରାପଡ଼ାକୁ ଚିହ୍ନଟ କରିଛନ୍ତି। ଏହାସତ୍ତ୍ୱେ ଏହାର ନିରାକରଣ କରାଯାଉନାହିଁ। ଜିଲା ବିକାଶ ପାଇଁ ଚାପ ସୃଷ୍ଟିକାରୀ ଗୋଷ୍ଠୀର ଅଭାବ ରହିଛି।
– ସାଗର ଜେନା, କଂସାର, କେନ୍ଦ୍ରାପଡ଼ା
କୃଷି ଓ ପର୍ଯ୍ୟଟନକୁ ଅବହେଳା
କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲାରେ ସ୍ଥାନୀୟ କୃଷି ଅବହେଳାରେ ଅଛି। ସେହିପରି ପର୍ଯ୍ୟଟନ କ୍ଷେତ୍ର ଆମକୁ ଅର୍ଥନୀତି ବୃଦ୍ଧିରେ ସହାୟକ ହୋଇପାରିବ। ମାଛ, କୁକୁଡ଼ାଠାରୁ ଆରମ୍ଭ କରି ଅର୍ଥକରୀ ଫସଲ ପାଇଁ ଉପଯୁକ୍ତ ଜଳବାୟୁ ଓ ଭିତ୍ତିଭୂମି ଅଛି। ତେବେ ଯୋଜନା ଅଭାବରୁ ସ୍ଥାନୀୟ କୃଷି ଅବହେଳା ହେଉଛି। ଏପରି କି ଜିଲା ଝୋଟ ଚାଷ ପାଇଁ ପ୍ରସିଦ୍ଧିଲାଭ କରିଥିବା ବେଳେ ଝୋଟ ଗବେଷଣା କେନ୍ଦ୍ର ବନ୍ଦ ହୋଇଯାଇଛି। ସେହିପରି ଜିଲାରେ ଜାତୀୟ ଉଦ୍ୟାନ ଭିତରକନିକା ବିଶ୍ୱବିଦିତ ହୋଇଥିଲେ ମଧ୍ୟ ପ୍ରଚାର ପ୍ରସାର ନ ଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ନଗଣ୍ୟ ହୋଇଛି। ଏହାବ୍ୟତୀତ ଧାର୍ମିକ ସ୍ଥଳକୁ ସୌନ୍ଦର୍ଯ୍ୟକରଣ କରି ଅର୍ଥନୀତିକୁ ସୁଦୃଢ଼ କରାଯାଇପାରିବ।
– ନୀହାର ରଞ୍ଜନ ପ୍ରଧାନ,
ଛୋଟି, କେନ୍ଦ୍ରାପଡ଼ା
ଜିଲାର ଉପତ୍ାଦ ବାହାରକୁ ପଠାଇବାକୁ ପଡ଼ିବ
କେନ୍ଦ୍ରାପଡ଼ା ଜିଲାରେ ଖଣି ନାହିଁ। ତେବେ ବୃହତ ଓ କ୍ଷୁଦ୍ର ଶିଳ୍ପ ଜିଲା ବିକାଶକୁ ଆଗେଇ ନେଇପାରିବ। ପ୍ରତି ନିର୍ବାଚନ ସମୟରେ ବନ୍ଦର, ଶିଳ୍ପ ଆଦି ନେଇ ପ୍ରତିଶ୍ରୁତି ମିଳୁଛି। ଏହି ପ୍ରତିଶ୍ରୁତି ପାଳନ ପାଇଁ ଜିଲାବାସୀଙ୍କ ନିକଟରୁ ଚାପ ସୃଷ୍ଟି ହୋଇପାରୁନାହିଁ। କ୍ଷୁଦ୍ର ଶିଳ୍ପ ପାଇଁ ସିଙ୍ଗଲ ୱିଣ୍ଡୋ ଆବଶ୍ୟକ। ବହୁ ଯୁବ ଉଦ୍ୟୋଗୀ କ୍ଷୁଦ୍ର ଶିଳ୍ପ ପାଇଁ ଆଗ୍ରହୀ ଥିଲେ ମଧ୍ୟ ଆଇନର ବିଭିନ୍ନ କଟକଣା ବାଟବଣା କରୁଛି। ସ୍ଥାନୀୟ ଉପତ୍ାଦ ପ୍ରତି ବାହାର ଜିଲାବାସୀଙ୍କ ଅପେକ୍ଷା ନାହିଁ। ବରଂ ଜିଲା ବାହାର ଉପତ୍ାଦ ଉପରେ ଆମେ ନିର୍ଭରଶୀଳ ହେଉଛୁ। କର୍ମ ନିଯୁକ୍ତି ସହିତ ଜିଲାର ଉପତ୍ାଦ ବାହାରକୁ ଗଲେ ଜିଲାର ଅର୍ଥନୀତିରେ ଅଗ୍ରଗତି ହେବ।
– ଶୁଭାଶିଷ ଷଡ଼ଙ୍ଗୀ, ରାଜକନିକା, କେନ୍ଦ୍ରାପଡ଼ା