Categories: ଜାତୀୟ

ବସ୍‌ରେ ଦିଲ୍ଲୀରୁ ଲଣ୍ଡନ ଯାତ୍ରା ଏବେ ହେବ ସହଜ

ନୂଆଦିଲ୍ଲୀ/ଲଣ୍ଡନ, ୨୨।୮: ବସ୍‌ରେ ଦିଲ୍ଲୀରୁ ଲଣ୍ଡନ ଯାତ୍ରା ଏବେ ସମ୍ଭବ ହୋଇପାରିବ। ଏନେଇ ଗୁଡ଼ଗାଓ୍ବଁର ଏକ ଘରୋଇ ଟ୍ରାଭେଲ୍‌ କମ୍ପାନୀ ଅଗଷ୍ଟ ୧୫ଠାରୁ ଏକ ବସ୍‌ର ଶୁଭାରମ୍ଭ କରିଛି। ଏହାକୁ ‘ବସ୍‌ ଟୁ ଲଣ୍ଡନ’ ଭାବେ ନାମିତ କରାଯାଇଛି। ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ ବସ୍‌ରେ ଯାତ୍ରା କରିବା ଲାଗି ୭୦ ଦିନ ସମୟ ଲାଗିବ। ଏଥିରେ ୨୦ ଜଣ ଯାତ୍ରୀ ଯାତ୍ରା କରିପାରିବେ। ବସ୍‌ରେ ୪ ଜଣ କର୍ମଚାରୀ ମଧ୍ୟ ରହିବେ। ସେମାନଙ୍କ ମଧ୍ୟରେ ଡ୍ରାଇଭର, ସହାୟକ ଡ୍ରାଇଭର, ଅର୍ଗାନାଇଜର ପକ୍ଷରୁ ଜଣେ ବ୍ୟକ୍ତି ଏବଂ ଜଣେ ଗାଇଡ୍‌ ରହିବେ। ବସ୍‌ଟି ୧୮ଟି ଦେଶ ସୀମାର ଦେଇ ଯାତ୍ରା କରିବ। ମ୍ୟାନମାର, ଥାଇଲାଣ୍ଡ, ଲାଓସେ, ଚାଇନା, କିର୍ଗିଜ୍‌ସ୍ତାନ, ଉଜବେକିସ୍ତାନ, କଜାଖସ୍ତାନ, ରୁଷ୍‌, ଲାଟିଭିୟା, ଲିଥ୍ୟୁାନିଆ, ପୋଲାଣ୍ଡ, ଚେକ୍‌ ଗଣରାଜ୍ୟ, ଜର୍ମାନୀ, ନେଦରଲାଣ୍ଡ, ବେଲଜିୟମ୍‌, ଫ୍ରାନ୍ସ ଆଦି ଦେଶ ଦେଇ ବସ୍‌ଟି ବ୍ରିଟେନ୍‌ରେ ପହଞ୍ଚିବ। ଯାତ୍ରୀମାନଙ୍କ ପାଇଁ ୧୦ ଦେଶର ଭିଜା ଆବଶ୍ୟକ ହେବ। ଟ୍ରାଭେଲ୍‌ କମ୍ପାନୀ ପକ୍ଷରୁ ଭିଜାର ବ୍ୟବସ୍ଥା କରାଯିବ। ଯାତ୍ରୀଙ୍କୁ ଏଥିଲାଗି ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ପୂର୍ବରୁ ଏହି ରାସ୍ତା ଦେଇ ୨୦୧୭, ୨୦୧୮ ଓ ୨୦୧୯ରେ ଦିଲ୍ଲୀ ନିବାସୀ ତୁଷାର ଏବଂ ସଞ୍ଜୟ ମଦାନ କାର୍‌ରେ ଯାତ୍ରା କରିଥିଲେ। ଏବେ ଏହି ରାସ୍ତା ଦେଇ ବସ୍‌ ଯାତ୍ରା କରିବାକୁ ସେମାନେ ଯୋଜନା କରିଛନ୍ତି। ୨୦୨୧ ମେ ମାସରୁ ଏହି ବସ୍‌ ସେବା ଆରମ୍ଭ ହେବାର ଆଶା ରହିଛି।

Share