ଆସୁଛି ବର୍ଷା, ୩ ଦିନ ବର୍ଷିବ

ଭୁବନେଶ୍ୱର,୨୮ା୧୦: ବଙ୍ଗୋପସାଗରରୁ ଆସୁଥିବା ପୂର୍ବାଳୀ ତରଙ୍ଗ ବା ଜଳୀୟ ବାଷ୍ପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ନଭେମ୍ବର ୧ରୁ ୩ ତାରିଖ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନାରୁ ଜଣାପଡ଼ିଛି।

ସୂଚନାନୁସାରେ, ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ଜିଲାରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ଯାଜପୁର ଜିଲାରେ ସର୍ବାଧିକ ୧୦ ମିଲିମିଟର ବର୍ଷା ହୋଇଛି। ମୟୂରଭଞ୍ଜରେ ୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ରାତିର ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ହୋଇଛି। କନ୍ଧମାଳ ଜିଲା ଜି.ଉଦୟଗିରିଠାରେ ରାତିର ତାପମାତ୍ରା ୧୩ ଡିଗ୍ରୀ ସେଲ୍‌ସିୟସ ଥିବା ବେଳେ ଫୁଲବାଣୀ, କୋରାପୁଟ ଏବଂ ଦାରିଙ୍ଗବାଡ଼ିରେ ତାପମାତ୍ରା ୧୪ ଡିଗ୍ରୀ ରହିଛି। ସେମିଳିଗୁଡ଼ାରେ ୧୫ ଡିଗ୍ରୀ, ଅନୁଗୋଳ ଏବଂ ଭବାନୀପାଟଣାରେ ୧୬ ଡିଗ୍ରୀ, ସୋନପୁରରେ ୧୬.୯ ଡିଗ୍ରୀ, ନବରଙ୍ଗପୁରରେ ୧୭.୪ ଡିଗ୍ରୀ ଏବଂ ରାଉରକେଲାରେ ତାପମାତ୍ରା ୧୮.୨ ଡିଗ୍ରୀ ରହିଛି।

Share