ଆଉ ୫ଦିନ ବର୍ଷିବ

ଭୁବନେଶ୍ୱର,୧୫ା୮(ଅନୁରାଧା ମହାରଣା):ଦକ୍ଷିଣ ବାଲାଂଦେଶ ଓ ଆଖପାଖ ଅଞ୍ଚଳରେ ୫.୮ କିମି ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ହେଉଛି। ତେବେ ୧୫ ତାରିଖରୁ ବର୍ଷା ପରିମାଣ ବଢ଼ିବା ସହ ୫ଦିନ ବର୍ଷିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ମଙ୍ଗଳବାର ରାଜ୍ୟର ସମସ୍ତ ଜିଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୨୦ ଜିଲାର କିଛି ସ୍ଥାନରେ ଝଡ଼ବର୍ଷାର ଆଶଙ୍କା ରହିଥିବାରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସବୁ ଜିଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢ଼େଙ୍କାନାଳ, ବୌଦ୍ଧ, କନ୍ଧମାଳ, ସୋନପୁର, ସମ୍ବଲପୁର ଓ ବଲାଙ୍ଗୀର ରହିଛି। ତେବେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ ଯାଜପୁରରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୧୬ ତାରିଖରେ ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳବର୍ତ୍ତୀ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୭ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଘଡଘଡ଼ି ସହ ବର୍ଷା ହେବ ଓ ଝାରସୁଗୁଡ଼ା, ସମ୍ବଲପୂୁର, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢ଼େଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼,ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲାର ମଧ୍ୟ କେତକ ସ୍ଥାନରେ ପ୍ରବଳ ବର୍ଷା ନେଇ ସୂଚନା ରହିଛି। ୧୮ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ। ୧୯ ତାରିଖବେଳକୁ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ସୂଚନା ଦିଆଯାଇଛି।
୧୧ ଜିଲାରେ ନିଅଣ୍ଟିଆ, ୧୮ ଜିଲାରେ ସ୍ବାଭାବିକ ବର୍ଷା
ଜୁନ୍‌ ୧ରୁ ଅଗଷ୍ଟ ୧୪ ମଧ୍ୟରେ ରାଜ୍ୟରେ ମୋଟ ୬୬୪.୫ ମିମି ବର୍ଷା ରେକର୍ଡ ହୋଇଛି। ଏହା ସ୍ବାଭାବିକ ବର୍ଷା ୭୨୪.୮ ମିମିଠାରୁ ଯଥେଷ୍ଟ କମ୍‌ ରହିଛି। କେବଳ ବୌଦ୍ଧ ଜିଲାରେ ମାତ୍ରାଧିକ ବର୍ଷା ହୋଇଛି। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଆଦି ୧୧ଟି ଜିଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଅବଶିଷ୍ଟ ୧୮ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Share